ବନ କର୍ମଚାରୀ ନାକେଦମ୍‌

ପାଟଣା,୨୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ପୁଣି ଗତ ଶୁକ୍ରବାର ରାତିରେ ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ଉତ୍ପାତ ଚଳାଇଛନ୍ତି। ପାଟଣା ରେଞ୍ଜ ବନବୀର, ଖଡିବେଡ଼ା, କୁଦାବେଡା, ରେଙ୍ଗାଳବେଡା, କୁଣ୍ଡଳା, ଏରଣ୍ଡେଇ, ବେଗେନାଖମଣ, ପାଟନାଳୀ, ଗୁଳୁଦିପଶି, ଦହିବାହାଳି ଓ ଝାଟିପଡ଼ା ଗ୍ରାମରେ ଧାନ ଫସଲ ଖାଇବା ସହ ବ୍ୟାପକ ଭାବେ ନଷ୍ଟ କରିଛନ୍ତି। ଚାଷୀମାନେ କିଭଳି ସରକାରୀ ସହାୟତା ପାଇ ପାରିବେ ସେ ନେଇ ବନ ବିଭାଗ ପକ୍ଷରୁ ସହଯୋଗ କରାଯିବା ପରିବର୍ତ୍ତେ କର୍ମଚାରୀମାନେ ଅସହଯୋଗ କରୁଥିବା କ୍ଷତିଗ୍ରସ୍ତ ଚାଷୀ ଅଭିଯୋଗ କରିଛନ୍ତି। ଏଣେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ହାତୀ ଘଉଡ଼ାଇବା କାର୍ଯ୍ୟରେ ବନ ବିଭାଗ ନାକେଦମ୍‌ ହେଉଥିବା ଦେଖିବାକୁ ମିଳିଛି।
ହାତୀ ପଲ ମଙ୍ଗଳବାର ପାଟଣା- ପିପିଳିଆ ରାସ୍ତାର ଦହିବାହାଳି ଜଙ୍ଗଲରୁ ଝାଟିପଡ଼ା ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ବେଳେ ଦୀର୍ଘ ସମୟ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ଫଳରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସାରେ ହାତୀପଲ ଝାଟିପଡ଼ା ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଛନ୍ତି। ହାତୀ ଉତ୍ପାତରେ ଚାଷୀ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନ ହେବ ପାଟଣା ରେଞ୍ଜ ଅଞ୍ଚଳରେ ହାତୀପଲ ଘୁରି ବୁଲୁଥିବା ବେଳେ ବନ ବିଭାଗ ସାଇରନ ବଜାଇ ହାତୀଙ୍କୁ ଜନବସତିଠାରୁ ଦୂରରେ ରଖିବାକୁ ପ୍ରୟାସ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ସାରୁ ବିଦ୍ୟୁତକାଟ୍‌ ହେଉଥିବାରୁ ଛାତ୍ରୀଛାତ୍ରମାନଙ୍କର ପାଠ ପଢ଼ିିବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଣେ ବିଦ୍ୟୁତ୍‌ ବିଭାଗ ହାତୀ ଚଳପ୍ରଚଳ ଅଞ୍ଚଳ ବିଦ୍ୟୁତ୍‌ ଖୁଣ୍ଟରେ ପୋଲ ସ୍ପାଇକ ଓ ଟ୍ରାନ୍ସଫର୍ମର ଫେନିସିଙ୍ଗ ନ କରି ଦିନ ଦିନ ଧରି ବିଦ୍ୟୁତ୍‌ କାଟ କରୁଥିବାରୁ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣେ ଲୋକେ ପ୍ରତି ଗଁାମୁଣ୍ଡରେ ଜଗି ରହି ଟାୟାର ଜାଳୁଛନ୍ତି, ବାଣ ଫୁଟାଉଛନ୍ତି ତ କୋଉଠି ଗଛ ଡାଳ ପକାଇ ରାସ୍ତା ଅବରୋଧ କରି ହାତୀଙ୍କୁ ଗଁାରେ ପୁରାଇ ନ ଦେବା ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ଖୁବ୍‌ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡ଼ାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।