ବାଲିଗୁଡ଼ା,୧୧ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ମା’ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ବିଭିନ୍ନ ୱାର୍ଡର କାମନାକାରୀଙ୍କ ଘରକୁ ମା’ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି। ଏହି ପୁରାତନ ଦଣ୍ଡନାଚ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମୁଛି। ଦିନ ଦ୍ୱିପ୍ରହରରେ ଧୂଳିଦଣ୍ଡ ସମୟରେ ଦଣ୍ଡ ଚରିତ ଅନୁସାରେ ଯାତ୍ରା ସମାପନ ହେଉଛି। ଏହି ସମୟରେ ଜଙ୍ଗଲ ସୁରକ୍ଷା ଉପରେ ଅଭିନୟ ନାଟକ ଗୀତ ମାଧ୍ୟମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ପୋଡୁ ଚାଷ, ବେଆଇନ ବନ୍ୟଜନ୍ତୁ ଶିକାରରୁ ନିବୃତ୍ତ ରହି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ଜନ ସଚେତନତା ସୃଷ୍ଟି କରାଯାଉଛି।
ଅନୁଷ୍ଠାନର ବରିଷ୍ଠ କଳାକାର ପ୍ରମୋଦ ଦଣ୍ଡସେନା ରେଞ୍ଜର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଟିକି ଦଣ୍ଡିଆ, ସନ୍ତୋଷ ପୂଜାରୀ, ଦୁର୍ଗା ପାତ୍ର ବେଲାଳସେନ ବନ କର୍ମଚାରୀ ଭୂମିକାରେ ନିଖୁଣ ଅଭିନୟକରି ଲୋକଙ୍କୁ ସଚେତନ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ବାଲିଗୁଡ଼ା ଡ଼ିଏଫଓ ବିଶ୍ୱରାଜ ପଣ୍ଡା ସୋଶିଆଲ ମିଡିଆରେ ଦେଖି ପ୍ରଶଂସା କରିଛନ୍ତି।


