ଜଙ୍ଗଲ ନିଆଁ ରୋକିବାକୁ ପ୍ରୟାସ

ପାଟଣା,୧୨।୨(ସ୍ବ.ପ୍ର.): ଖରାଦିନ ଆରମ୍ଭ ନ ହେଉଣୁ ବିଭିନ୍ନ ଜଙ୍ଗଲରେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜର ଅଧିକାଂଶ ଜଙ୍ଗଲରେ ଏବେ ନିଅଁା ଲାଗି ଅନେକ ଗଛ ଜଳିପୋଡ଼ି ନଷ୍ଟ ହୋଇଯିବା ସହ ବନ୍ୟପ୍ରାଣୀଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଏଭଳି କ୍ଷେତ୍ରରେ ବନବିଭାଗ ଜଙ୍ଗଲ ସୁରକ୍ଷା ଲାଗି କୌଣସି ଠୋସ୍‌ ପଦକ୍ଷେପ ନେଉନାହିଁ। ସ୍ଥାନୀୟ ନିହ୍ନୁଆଁ ଗ୍ରାମର ବାସିନ୍ଦା ବନବିଭାଗ ଉପରେ ଆଉ ଭରସା ନ କରି ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି। ଏପରିକି ମହିଳାମାନେ ନିଜ ନିଜ ମଧ୍ୟରେ ପାଳି କରି ଜଙ୍ଗଲ ଜଗିବାକୁ ଆଗେଇ ଆସିଛନ୍ତି।
ପ୍ରକାଶ ଯେ, କିଛିଦିନ ତଳେ ନିହ୍ନୁଁଆ ଗ୍ରାମ ନିକଟରେ ଥିବା ୨୪୦ ଏକର ପରିମିତ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିଲା। ଏଥିରେ ଶହ ଶହ ଗଛ ଜଳି ପୋଡ଼ି ଛାରଖାର ହୋଇଯାଇଥିଲା। କେତେ ଜଣ ଅସାମାଜିକ ଯୁବକ ମଦ୍ୟପାନ କରି ଜଙ୍ଗଲରେ ନିଅଁା ଲଗାଇ ଦେଇଥିବା ଜଣାପଡିବା ପରେ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିବା ସହ ଜଙ୍ଗଲ ନିକଟରେ ମଦ୍ୟପାନ କଲେ ୨ ହଜାର ଟଙ୍କା ଜରିମାନ ଦେବାକୁ ପଡ଼ିବ ବୋଲି ପୋଷ୍ଟର ମାରିଥିଲେ। ଏବେ ଗ୍ରାମର ମହିଳା ପାଳି କରି ଜଙ୍ଗଲ ଜଗୁଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ପୋଷ୍ଟର ଲଗାଯିବା ପରେ ନିଆଁ ଲାଗିବା କମିବା ସହ ଦୁର୍ବୃତ୍ତଙ୍କ ଆଡ଼ା କମିଥିବା ପରିଲକ୍ଷିତ ହୋଇଛି। ଏନେଇ ନିହ୍ନୁଁଆ ଗ୍ରାମର ମହିଳା ତ୍ରିବେଣୀ ସିଂ କହିଛନ୍ତି, ରାସ୍ତାକଡ଼ରେ ଥିବା ଜଙ୍ଗଲରେ ଅସାମାଜିକ କ୍ରିୟାକଳାପ ବଢୁଛି। ଏପରି ଆମେ କିଛିଦିନ ଜଗି ରହିଲେ ଏହା ବନ୍ଦ ହୋଇଯିବ। ନିରୁପମା ସିଂ କହିଛନ୍ତି, ଜଙ୍ଗଲ ସହିତ ଗ୍ରାମବାସୀ ଓତପ୍ରୋତ ଭାବେ ଜଡ଼ିତ। ଜଙ୍ଗଲରୁ ଆମେ ପତ୍ର, କାଠ ସଂଗ୍ରହ କରିଥାଉ। ଜଙ୍ଗଲ ବଞ୍ଚତ୍ଲେ ଆମ ଜୀବିକା ବଞ୍ଚତ୍ବ। ଏନେଇ ଗ୍ରାମର ମୁଖିଆ ସୁବାସଚନ୍ଦ୍ର ସିଂ କହିଛନ୍ତି, ଏହି ଜଙ୍ଗଲରେ ମଦ୍ୟପମାନେ ଖଟି କରୁଛନ୍ତି। ସିଗାରେଟ ଟାଣି ପକାଉଥିବାରୁ ଜଙ୍ଗଲରେ ନିଆଁ ଲାଗୁଛି। ଏହାକୁ ବନ୍ଦ କରିବାକୁ ଆମେ ଜଙ୍ଗଲ ଜଗୁଛୁ। ଫଳରେ ସେମାନେ ଲୋକଲଜ୍ଜାରେ ଏଠି ଆଉ ମଦ ପିଇବାକୁ ସାହସ କରୁନାହାନ୍ତି ବୋଲି କହିଥିଲେ। କେନ୍ଦୁଝର ଡିଏଫଓ ଏଚ୍‌.ଡି. ଧନରାଜ ଲୋକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଲୋକଙ୍କ ଏଭଳି ଭଲପାଇବା ରହିଲେ ଆଗକୁ ଜଙ୍ଗଲ ଆହୁରି ସୁରକ୍ଷିତ ରହିପାରିବ ବୋଲି ସେ କହିଛନ୍ତି।