ଆଭୋନ(ଫ୍ରାନ୍ସ),୧୪ା୭: ପଶ୍ଚିମ ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଲାଗିରହିଥିବାବେଳେ ବ୍ୟାପକ ଅଞ୍ଚଳରେ ଜଙ୍ଗଲ ଜଳୁଛି। ସ୍ପେନ୍ରେ ଜଙ୍ଗଲ ନିଆଁ ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି। ସୋମବାର ଏହି ନିଆଁ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ଦକ୍ଷିଣ ଭାଗରେ ଥିବା ଐତିହାସିକ ଜଙ୍ଗଲ ଫାଉଣ୍ଟେନ୍ବ୍ଲ୍ୟୁକୁ ବ୍ୟାପିଯାଇଛି। ଫଳରେ ବହୁସଂଖ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଟ୍ରେନ୍ ଓ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଜଙ୍ଗଲ ନିଆଁ ପ୍ୟାରିସଠାରୁ ପ୍ରାୟ ୭୦ କି.ମି. ଦୂରରେ ହୋଇଥିବାରୁ ଏହା ଚିନ୍ତାଜନକ ହୋଇଛି। ଏହି ଅଞ୍ଚଳରେ ନେପୋଲିୟନଙ୍କ ପ୍ରିୟ ଫାଉଣ୍ଟେନ୍ବ୍ଲ୍ୟୁ ପ୍ରାସାଦ ରହିଛି, ଯେଉଁ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ଲୋକପ୍ରିୟ। ସେଠାକୁ ପ୍ୟାରିସ୍ ସମେତ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସିଥାନ୍ତି। ନିଆଁଲିଭା କାର୍ଯ୍ୟରେ ଅନେକ ଶହ ଅଗ୍ନିଶମ କର୍ମଚାରୀ ଲାଗିଥିବାବେଳେ ୨ଟି ଓ୍ବାଟର ଡମ୍ପିଙ୍ଗ୍ ବିମାନକୁ ନିୟୋଜିତ କରାଯାଇଛି ବୋଲି ଆଞ୍ଚଳିକ ଅଗ୍ନିଶମ ବିଭାଗ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି। ରବିବାର ବିଳମ୍ବିତ ରାତିରେ ଗାରେ ଡେ ଲ୍ୟୋନ୍ ଷ୍ଟେଶନରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ସୋମବାର ସକାଳେ ତାହା ସ୍ବାଭାବିକ ହୋଇଛି। ତେବେ ଏ୬ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଗତ ସପ୍ତାହରୁ ଦକ୍ଷିଣ ଫ୍ରାନ୍ସରେ ଲାଗିଥିବା ଜଙ୍ଗଲ ନିଆଁରେ ଅନେକ ହଜାର ହେକ୍ଟର ଅଞ୍ଚଳ ଜଳିଗଲାଣି। ଫ୍ରାନ୍ସରେ ଏବେ ତୃତୀୟ ଗ୍ରୀଷ୍ମ ଲହର ଯୋଗୁ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ରହିଥିବାବେଳେ ପ୍ୟାରିସ୍ ତାପମାତ୍ରା ୩୭ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।