ବଜ୍ରକାପ୍ତା ବିକ୍ରି ବେଳେ ମାଡିବସିଲା ବନ ବିଭାଗ, ଜଣେ ଗିରଫ

କେନ୍ଦୁଝର ୧୬ା୫ (ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କାଞ୍ଜିପାଣି ସେକ୍ସନ ଟାଙ୍ଗରପଡା ଗ୍ରାମରେ ଜଣେ ବ୍ୟକ୍ତି ଏକ ବଜ୍ରକାପ୍ତା ରଖି ବିକ୍ରି ଯୋଜନା କରୁଥିବାବେଳେ ବନ ବିଭାଗ କର୍ମଚାରୀ ଗ୍ରାହକ ବେଶରେ ଯାଇ ତାଙ୍କୁ ମାଡି ବସିଛନ୍ତି। ତାଙ୍କ ଠାରୁ ଏକ ପୂର୍ଣ୍ଣ ବୟସ୍କା ମାଈ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାର ବୟସ ୩ବର୍ଷ ହେବ ବୋଲି ଅନୁମାନ କରାଯାଉଥିବାବେଳେ ଓଜନ ୧୦କେଜି ଏବଂ ଲମ୍ବ ଅଢେଇ ଫୁଟ ବୋଲି ଜଣାପଡିଛି । ବଜ୍ରକାପ୍ତାକୁ ଭୂୟାଁ ଜୁଆଙ୍ଗ ରେଞ୍ଜ କାର୍ଯ୍ୟାଳୟରେ ପଞ୍ଜୁରୀ ଭିତରେ ରଖାଯାଇ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆର ଡାକ୍ତର ବ୍ରଜରାଜ ୟାଦବ ଚିକିତ୍ସା କରୁଛନ୍ତି । ବଜ୍ରକାପ୍ତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ,ତେଲକୋଇ ରେଞ୍ଜ ସିଙ୍କୁଳାବାହାଳ ଜଙ୍ଗଲ ରେଣ୍ଡା ପର୍ବତରୁ ଟାଙ୍ଗରପଡା ଗ୍ରାମର ଜଣେ ଲୋକ ବଜ୍ରକାପ୍ତା ଆଣି ବାବୁଲି ପ୍ରଧାନଙ୍କୁ ବିକ୍ରି ପାଇଁ ଦେଇଥିଲେ। ସେ ବଜ୍ରକାପ୍ତାକୁ ଅଖାବସ୍ତାରେ ବିକ୍ରି ପାଇଁ ରଖିଥିଲେ। ଗତ କାଲି ଅପରାହ୍ନରେ ସୂତ୍ରରୁ ଖବର ପାଇ ବନ ବିଭାଗର ଜଣେ କର୍ମଚାରୀ ତେଲକୋଇ ଫରେଷ୍ଟର ପ୍ରଦୀପ କୁମାର ସାହୁ ଗ୍ରାହକ ବେଶରେ ଯାଇ ବଜ୍ରକାପ୍ତା ରଖିଥିବା କାଞ୍ଜିପାଣି ଥାନା ଅନ୍ତର୍ଗତ ଟାଙ୍ଗରପଡା ଗ୍ରାମର ବାବୁଲି ପ୍ରଧାନ(୨୯) ସହ ମୂଲଚାଲ କରିଥିଲେ । ଏହାକୁ ସେ ୫୦ହଜାର ଟଙ୍କାରେ ବିକ୍ରି କରିବାକୁ ରାଜି ହୋଇଥିଲା ପୂର୍ବରୁ ନିକଟରେ ଜଗି ରହିଥିବା ଭାଜପା ରେଞ୍ଜର ମାନସ କୁମାର ମୁର୍ମୁ, କାଞ୍ଜିପାଣି ଫରେଷ୍ଟର ସନ୍ତୋଷ କୁମାର ପହି, ଶୁଆକାଟୀ ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକ,ଫରେଷ୍ଟ ଗାର୍ଡ ସନ୍ତୋଷ କୁମାର ବେହେରା ଏବଂ ଅନ୍ୟ ବନ କର୍ମଚାରୀମାନେ ବାବୁଲି ପ୍ରଧାନଙ୍କୁ ମାଡି ବସିଥିଲେ। ଚଡାଉ ବେଳେ ଘଟଣାସ୍ଥଳରୁ ଅନ୍ୟ ଜଣେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା । ବନବିଭାଗ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି । ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଗନ ଅଭିଯୋଗରେ ଦଫା ୯,୩୯(୩)(ଏ),ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ବଳରେ ଓଆର କେସ ନମ୍ବର ୨ ବିଜେ ଅଫ ୨୦୨୩-୨୪ରେ ଅଭିଯୁକ୍ତ ବାବୁଲିଙ୍କୁ ଗିରଫ କରାଯାଇଛି। ଏସଡିଜେଏମ କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସିଏଫ ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି। ବଜ୍ରକାପ୍ତା ସିଡ୍ୟୁଏ-୧ ପ୍ରଜାତିର ହୋଇଥିବାରୁ ଏହି ମାମଲାରେ ଦଣ୍ଡିତ ହେଲେ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡ ରହିଛି ।