Categories: ବାଣିଜ୍ୟ

ସେପ୍ଟେମ୍ବର ୩୦ ଯାଏ ବିଦେଶ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୯: ସରକାର ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି। ଏହି ସମୟ ମଧ୍ୟରେ ବିଦେଶକୁ ବିମାନ ସେବା ଉପଲବ୍ଧ ହେବ ନାହିଁ ବୋଲି ଜଣାପଡିଛି। ଅପରପକ୍ଷରେ ଆମେରିକା, ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନ ଲାଗି ଅନ୍ତର୍ଜାତୀୟ ବିମାନ ସେବାକୁ କିଛି ପରିମାଣରେ କୋହଳ କରିଛନ୍ତି। ବିମାନଯାତ୍ରୀଙ୍କୁ ପୂର୍ବରୁ ପ୍ୟାକ୍‌ ହୋଇଥିବା ସ୍ନାକ୍ସ, ଖାଦ୍ୟ ଏବଂ ବେଭରେଜ ପ୍ରଦାନ କ୍ଷେତ୍ରରେ ଅନୁମତି ମିଳିଛି। ଅନ୍‌ଲକ୍‌ ୪ ଅନ୍ତର୍ଗତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନୂଆ ନିୟମ ସମ୍ପର୍କରେ ଘୋଷଣା କରାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତକୁ ଯିବା ଆସିବା କରୁଥିବା କମର୍ସିଆଲ ଫ୍ଲାଇଟ୍‌ଗୁଡିକ ଉପରେ କଟକଣା ଲାଗୁ କରିବା ଲାଗି ବିଚାର କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି। ନୂଆ ନିୟମ ୧ ସେପ୍ଟେମ୍ବରରୁ ଲାଗୁ କରାଯିବ ବୋଲି ଜଣାପଡିଛି। ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନ ସେବା କ୍ଷେତ୍ରରେ କିଛିଟା କୋହଳ ବ୍ୟବସ୍ଥା କରାଯାଇଛି। ଏହି ଯାତ୍ରୀଙ୍କ ଲାଗି ବବଲ୍‌ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ହୋଇଛି। ସେହିଭଳି ବିଦେଶରେ ଫସି ରହିଥିବା ଯାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ବନ୍ଦେ ଭାରତ ମିଶନ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ ଭାବେ ବିଦେଶକୁ ବିମାନ ସେବା ଅନୁମତି ମିଳିନାହିଁ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏହି ସେବା ଜାରି ହେଉଛି। ଏହା ଅନ୍ତର୍ଗତ ଚାର୍ଟର୍ଡ ଫ୍ଲାଇଟ ସେବା ମଧ୍ୟ ଉପଲବ୍ଧ। କରୋନା ସଂକ୍ରମଣକୁ ନଜରରେ ରଖି ଏଭଳି ପଦକ୍ଷେପ ହାତକୁ ନିଆଯାଇଥିବା ସରକାର କହିଛନ୍ତି।

Share