Categories: ବାଣିଜ୍ୟ

ଖସିଲା ବିଦେଶୀ ମୁଦ୍ରାଭଣ୍ଡାର ପରିମାଣ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଭାରତରେ ବୈଦେଶିକ ମୁଦ୍ରାଭଣ୍ଡାରର ପରିମାଣ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଏପରିକି ୨୦୨୩ ସେପ୍ଟେମ୍ବର ୮ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୫ (୪.୯ ବିଲିୟନ) ବିଲିୟନ ଡଲାର ହ୍ରାସ ଘଟି ପ୍ରାୟ ୫୯୪ (୫୯୩.୯୦ ବିଲିୟନ) ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷକରି ଏହା ୨୦୨୩ ସେପ୍ଟେମ୍ବର ୧ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୫୯୮.୮୯୭ ବିଲିୟନ ଡଲାରରେ ରହିଥିଲା। ଅପରପକ୍ଷରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ଫୋରେକ୍ସ ରିଜର୍ଭ ଡେଟାରୁ ଉପରୋକ୍ତ ସୂଚନା ମିଳିଛି। ଫୋରେକ୍ସ ରିଜର୍ଭର ସୂଚନା ଅନୁଯାୟୀ ବିଦେଶୀ ମୁଦ୍ରା ନୁହେଁ, ଏହି ସମୟ ମଧ୍ୟରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଫରେନ କରେନ୍ସି ଆସେଟ୍ସ) ମଧ୍ୟ ୪.୨୬୫ ବିଲିୟନ ଡଲାରକୁ ହ୍ରାସ ପାଇଛି। ସେହିଭଳି ୫୫୪ ମିଲିୟନ ଡଲାର ହ୍ରାସ ସହ ସୁନା ଭଣ୍ଡାର ୪୪.୩୮୪ ବିଲିୟନ ଡଲାର ରହିଥିବା ବେଳେ ଆଇଏମ୍‌ଏଫର ଭଣ୍ଡାରରେ ମଧ୍ୟ ୩୯ ମିଲିୟନ ଡଲାର ହ୍ରାସ ପାଇଛି। ତେବେ ବୈଦେଶିକ ମୁଦ୍ରାଭଣ୍ଡାର ପୁଣି ୬୦୦ ବିଲିୟନ ଡଲାର ସ୍ତରରୁ ଖସି ଆସିଛି। ୨୦୨୧ ଅକ୍ଟୋବରରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୬୪୫ ବିଲିୟନ ଡଲାର ସ୍ତରରେ ପହଞ୍ଚତ୍ଥିଲା ହେଲେ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ନିବେଶକଙ୍କ ସମ୍ପତ୍ତି ବିକ୍ରୟ ହେତୁ ବୈଦେଶିକ ମୁଦ୍ରା ସଂରକ୍ଷଣ ୫୨୬ ବିଲିୟନ ଡଲାର ସ୍ତରକୁ ଖସି ଆସିଥିଲା। ସେହିପରି ମୁଦ୍ରା ବଜାରରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି। ଗୋଟିଏ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୮୩.୧୮ ଟଙ୍କା ହୋଇଛି। ଗତ କିଛିଦିନ ହେବ ଟଙ୍କା ତୁଳନାରେ କ୍ରମାଗତ ଭାବେ ଡଲାର ମଜଭୁତ ହେଉଥିଲା ବେଳେ ବିଦେଶୀ ପୁଞ୍ଜି ନିବେଶକାରୀଙ୍କର ଶେୟାର ବିକ୍ରି ଏବଂ ଡଲାରର କ୍ରମାଗତ ମଜଭୁତ ହେତୁ ଟଙ୍କା ଦୁର୍ବଳ ହୋଇଛି ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ବ୍ୟାରେଲ ପିଛା ୯୪ ଡଲାର ଅତିକ୍ରମ କରିଛି। ଏପରି ପରିସ୍ଥିତିରେ ଡଲାରର ଚାହିଦା ବୃଦ୍ଧି ହେତୁ ବୈଦେଶିକ ମୁଦ୍ରାଭଣ୍ଡାର ଆହୁରି ହ୍ରାସ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Share