Categories: ଖେଳ

ଏହି କାରଣ ଲାଗି ସାନିଆଙ୍କୁ ଭେଟିପାରୁ ନାହାନ୍ତି ସୋଏବ

କରାଚୀ, ୨୧।୭- ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ଗତ ସପ୍ତାହରେ ବ୍ରିଟେନ ଗସ୍ତ କରିସାରିଛି। ଏହି ଗସ୍ତ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ୨୯ ଜଣିଆ ଦଳରେ ଭେଟେରାନ ଅଲ୍‌ରାଉଣ୍ଡର ସୋଏବ ମଲିକ ସ୍ଥାନ ପାଇଥିଲେ ମଧ୍ୟ ଦଳ ସହିତ ଯାତ୍ରା କରିନାହାନ୍ତି। ସୋଏବ ପରିବାର ସହ ସାକ୍ଷାତ୍‌ କରି ବିଳମ୍ବରେ ଇଂଲଣ୍ଡ ଗସ୍ତ କରି ଦଳ ସହ ଯୋଗ ଦେବେ ବୋଲି ଜଣାପଡ଼ିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମଧ୍ୟ ତାଙ୍କୁ ଏନେଇ ସ୍ବତନ୍ତ୍ର ଅନୁମତି ପ୍ରଦାନ କରିଛି। ୨୦୧୦ରେ ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମିର୍ଜାଙ୍କୁ ବିବାହ କରିଥିବା ସୋଏବ ବର୍ତ୍ତମାନ ସିଆଲ୍‌କୋଟ୍‌ରେ ରହୁଛନ୍ତି। ଅପରପକ୍ଷରେ ସାନିଆ ଓ ତାଙ୍କୁ ପୁଅ ବର୍ତ୍ତମାନ ହାଇଦ୍ରାବାଦରେ ଅବସ୍ଥାପିତ। ଫଳରେ କରୋନା କଟକଣା ଲାଗି ଏହି ପାକିସ୍ତାନ କ୍ରିକେଟର୍‌ ତାଙ୍କ ସ୍ତ୍ରୀ ଓ ୫ ମାସର ପୁଅକୁ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ସାକ୍ଷାତ୍‌ କରିପାରି ନାହାନ୍ତି। ଭାରତ ସରକାର ବର୍ତ୍ତମାନ ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଛନ୍ତି। ତେଣୁ ଏହି ସମୟ ପରେ ହିଁ ମଲିକ ତାଙ୍କ ସାନିଆ ଓ ପୁଅଙ୍କ ସହ ସାକ୍ଷାତ୍‌ କରିବାର ସୁଯୋଗ ପାଇବେ। ପୂର୍ବରୁ ସୋଏବ ଜୁଲାଇ ୨୪ରେ ଇଂଲଣ୍ଡ ଗସ୍ତ କରିବାର ଥିଲା। କିନ୍ତୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଭାରତ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ଲଗାଇବା ପରେ ସୋଏବ ପୁଣିଥରେ ତାଙ୍କ ଇଂଲଣ୍ଡ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ଏହି କଟକଣା ଉଠିବା ପରେ ସୋଏବ ପ୍ରଥମେ ତାଙ୍କ ସ୍ତ୍ରୀ ଓ ପୁଅକୁ ଭେଟି ପରେ ଅଗଷ୍ଟରେ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ଇଂଲଣ୍ଡରେ ପହଞ୍ଚତ୍ବା ପରେ ନିୟମ ମୁତାବକ ସେ କିଛିଦିନ କ୍ୱାରାଣ୍ଟାଇନରେ ରହିବେ ବୋଲି ଜଣାପଡ଼ିଛି। ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୫ରୁ ମାଞ୍ଚେଷ୍ଟରରେ ଆରମ୍ଭ ହେବ। ଏହାପରେ ଅଗଷ୍ଟ ୨୮ରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ସୋଏବ ପ୍ରାରମ୍ଭରୁ କେତୋଟି ମ୍ୟାଚ୍‌ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Share