Categories: ବାଣିଜ୍ୟ

୪ର୍ଥ ଥର ପାଇଁ ଋଣ ଖିଲାପ କଲା ଏଫ୍‌ଇଏଲ୍‌

ନୂଆଦିଲ୍ଲୀ,୨୬।୬: ଋଣ ଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) ୪.୧୦ କୋଟି ଟଙ୍କାର ଋଣ ଶୁଝିବା ଦିଗରେ ଖିଲାପକାରୀ ସାବ୍ୟସ୍ତ ହୋଇଛି। ଋଣ ପରିଶୋଧ ଧାର୍ଯ୍ୟ ତାରିଖ ଜୁନ୍‌ ୨୪ରେ ଥିବା ବେଳେ ଏଫ୍‌ଇଏଲ୍‌ ଏଥିରେ ବିଫଳ ରହିଥିବା ଏକ ନିୟାମକ ଫାଇଲିଂରେ କହିଛି। କମ୍ପାନୀ ଚଳିତ ବର୍ଷ ଜୁନ୍‌ ୨୪ରେ ଅଣପରିବର୍ତ୍ତନୀୟ ଋଣ ସ୍ବୀକାରପତ୍ର ଉପରେ ସୁଧ ସମ୍ବନ୍ଧିତ ନିଜ ଦାୟିତ୍ୱ ପୂରା କରିବାକୁ ଅସଫଳ ରହିଛି। କିଶୋର ବିୟାନୀଙ୍କର ଏହି ଫ୍ୟୁଚର ଗ୍ରୁପ୍‌ ଫାର୍ମ ଦ୍ୱାରା ଜୁନ୍‌ ମାସରେ ଏହା ୪ର୍ଥ ଋଣ ଖିଲାପ । ଚଳିତ ସପ୍ତାହ ଆରମ୍ଭରେ ଏଫ୍‌ଇଏଲ୍‌ ନିଜ ଅଣପରିବର୍ତ୍ତନୀୟ ଋଣ ସ୍ବୀକାରପତ୍ର ପାଇଁ ୮୫.୭୧ ଲକ୍ଷ ଏବଂ ୬.୦୭ କୋଟି ଟଙ୍କାର ଋଣ ପରିଶୋଧ ପାଇଁ ୨ଥର ଡିଫଲ୍ଟ ସାବ୍ୟସ୍ତ ହୋଇଛି। ଏହାଛଡ଼ା ଚଳିତ ମାସ ଆରମ୍ଭରେ ଏଫ୍‌ଇଏଲ୍‌ ୧.୪୧ କୋଟି ଟଙ୍କାର ଋଣ ପରିଶୋଧରେ ଖିଲାପୀ କରିଥିଲା। ବର୍ତ୍ତମାନ ସୁଦ୍ଧା ଏଫ୍‌ଇଏଲ୍‌କୁ ୪୦ କୋଟି ଟଙ୍କାର ସୁଧ ଅର୍ଥ ଶୁଝିବା ବାକି ରହିଛି।

Share