ତାରାତାରିଣୀ ପୀଠର ବିକାଶ ଲାଗି ହଟିଲା ଜବରଦଖଲ

ପୁରୁଷୋତ୍ତମପୁର,୧୧।୮(ସୀମାଞ୍ଚଳ ମିଶ୍ର): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଜନସାଧାରଣଙ୍କ ସୁବିଧା ଲାଗି ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଉନ୍ନତୀକରଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଗେଟରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ସହ ଚାରି ଥାକିଆ ରାସ୍ତା ନିର୍ମାଣ ନେଇ କାର୍ଯ୍ୟ ଚାଲୁ ରହିଛି । ହେଲେ ରାସ୍ତାରେ ଜବରଦଖଲ ଦୋକାନ ଉଚ୍ଛେଦ ଲାଗି ପୂର୍ବରୁ ନୋଟିସ ଦିଆଯାଇ ୩୦ ଦିନ ସମୟ ଦିଆଯାଇଥିଲା । ମାତ୍ର ଏହି ସମୟରେ କିଛି ଦୋକାନୀ ହଟିଯାଇଥିବା ବେଳେ କେତେକେ ଜବରଦଖଲ କରି ରହିଥିଲେ।

ଫଳରେ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକଠାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଶୁକ୍ରବାର ପୂର୍ତ୍ତ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ୭ କିଲୋମିଟର ରାସ୍ତା ପାଇଁ ୧୨ କୋଟି ୯୪ ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତବର୍ଷଠାରୁ ରାସ୍ତାର କାର୍ଯ୍ୟ ଜାରି ରହିଛି । ରାସ୍ତା କାମର ଅବଧି ଶେଷ ହୋଇଥିବା ବେଳେ ଜବରଦଖଲ ଉଚ୍ଛେଦ ହୋଇ ନ ଥିବା ଯୋଗୁ କାମ ବିଳମ୍ବ ହୋଇଛି। ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ରାସ୍ତା କାମ ଶେଷ ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଗତ ବର୍ଷ ମେ ୧୮ ତାରିଖରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖମନ୍ତ୍ରୀ ଯୋଗଦେଇ ପର୍ଯ୍ୟଟକଙ୍କ ଲାଗି ୨୯ କୋଟି ୭୫ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚରେ ମନ୍ଦିର ପାର୍ଶ୍ୱବର୍ତ୍ତୀ ଋଷିକୁଲ୍ୟା ନଦୀ ତଟର ଉନ୍ନତୀକରଣ, ରାସ୍ତା ନିର୍ମାଣ, ବିଭିନ୍ନ କାର୍ଯ୍ୟ ଲାଗି ସାଧାରଣ ସଭାରେ ଘୋଷଣା କରିଥିଲେ।