ଡାଇବେଟିସ୍‌ ରୋଗୀଙ୍କ ପାଇଁ

ଯଦି ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ତେବେ କେତୋଟି ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟପେୟ ବ୍ୟତୀତ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଆପଣଙ୍କ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ବ୍ଲଡପ୍ରେସର ପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ବ୍ଲଡପ୍ରେସର କେତେ ରହୁଛି ତାହା ମାପି ନିଅନ୍ତୁ। ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ହେଲେ ତାହାଦ୍ୱାରା ହାର୍ଟ, କିଡ୍‌ନୀ ଏବଂ ଆଖି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏ ବିଷୟରେ ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ଡାଇବେଟିସ୍‌ ପାଇଁ ଔଷଧ ଖାଉଥିଲେ ନିୟମିତ ସମୟ ବ୍ୟବଧାନରେ ଡାକ୍ତରଙ୍କ ସହ ଏ ନେଇ ଆଲୋଚନା କରନ୍ତୁ। ମନକୁ ମନ ଔଷଧ ଖାଇବା ବନ୍ଦ କରନ୍ତୁ ନାହିଁ। ଡାଇବେଟିସ୍‌ ରୋଗୀଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ବ୍ୟକ୍ତି ମେଦବହୁଳତାର ସମସ୍ୟା ସହ ଜଡ଼ିତ ଥାଆନ୍ତି। ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ପାଖାପାଖି ୬୦-୭୦ ପ୍ରତିଶତ ଡାଇବେଟିସ୍‌ ରୋଗୀଙ୍କର ସ୍ନାୟୁଜନିତ ସମସ୍ୟା ଥାଏ।