Categories: ମେଟ୍ରୋ

୨ ମାସ ହେବ ମା’ପୁଅଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ରହୁଥିବା ମା’ ପ୍ରିୟା ନାୟକ (୨୭) ଓ ତାଙ୍କ ୫ବର୍ଷର ପୁଅ ନିଖୋଜ ହେବା ଘଟଣାକୁ ୨ ମାସରୁ ଊର୍ଦ୍ଧ୍ୱ ବିତିଲାଣି। ହେଲେ ଏଯାଏ ତାଙ୍କର କୌଣସି ଖୋଜ ଖବର ମିଳୁନି। ପୋଲିସ ମାମଲା (ନଂ.୨୧/୨୦୨୨) ରୁଜୁ କରି ଚୁପ୍‌ ବସିଥିବାବେଳେ ସ୍ବାମୀ ପ୍ରଭାତ ନାୟକ ଚାରିଆଡେ ଖୋଜାଖୋଜି କରି ଭାଙ୍ଗି ପଡିଛନ୍ତି। କାର୍ଗିଲ ବସ୍ତିରେ ରହୁଥିବା ଗୌରୀ ନାମ୍ନୀ ଯୁବତୀ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ କେଉଁଆଡେ ନେଇଯାଇଥିବା ପ୍ରଭାତ ସନ୍ଦେହ କରୁଛନ୍ତି। ଏନେଇ ମଧ୍ୟ ପୋଲିସ ସେ ଜଣାଇଛନ୍ତି। ହେଲେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କମିଶନରେଟ ପୋଲିସ ସେତେଟା ଗୁରୁତ୍ୱ ନ ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ପ୍ରଭାତଙ୍କ ଘର ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜୀଲୀବା ଗ୍ରାମରେ। ସେ ହାଇଦ୍ରାବାଦରେ ରହି କାମ କରୁଥିବାବେଳେ ତାଙ୍କ ସ୍ତ୍ରୀ ଭୁବନେଶ୍ୱର ବଢ଼େଇବାଙ୍କରେ ରହି କାମ କରୁଥିଲେ। ପ୍ରଭାତ ଅକ୍ଟୋବରରେ ହାଇଦ୍ରାବାଦରୁ ଭୁବନେଶ୍ୱରସ୍ଥିତ ଘରକୁ ଆସିଥିଲେ। ଅକ୍ଟୋବର ୧୨ ସକାଳ ୮ଟା ୩୦ରେ ସେ ବାଥ୍‌ରୁମରେ ଗାଧୋଇ ବାହାରିବା ପରେ ସ୍ତ୍ରୀ ଓ ପୁଅଙ୍କୁ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଉଭୟଙ୍କୁ ବହୁ ଖୋଜାଖୋଜି କରିବା ପରେ ଶେଷରେ ନିରୁପାୟ ହୋଇ ଅକ୍ଟୋବର ୧୭ରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ଖୋଜାଖୋଜି କରିଥିଲେ ନିଶ୍ଚିତ ତାଙ୍କ ସ୍ତ୍ରୀ ଓ ପୁଅ ମିଳିଯାଇଥାନ୍ତେ ବୋଲି ପ୍ରଭାତ କ୍ଷୋଭର ସହ କହିଛନ୍ତି। ଏଥିସହ ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରି ନିଖୋଜ ସ୍ତ୍ରୀ ଓ ପୁଅଙ୍କୁ ଉଦ୍ଧାର କରିବାକୁ ସେ ପୋଲିସ କମିଶନରଙ୍କୁ ନିବେଦନ କରିଛନ୍ତି।