ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରକ୍ଷା ବନ୍ଧନ ଗୁରୁବାରଠାରୁ ଆୟୋଜିତ ଏହି ପ୍ରତିଯୋଗିତାର ଶୁକ୍ରବାର ଥିଲା ଉଦ୍‌ଯାପନୀ ଦିବସ। ଅନ୍ତିମ ଦିବସରେ ଝାରବେଡା ଏବଂ ଚାନ୍ଦିପୋଷ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଉଭୟ ଟିମ୍‌ ଦମ୍‌ଦାର ଖେଳ ପ୍ରଦର୍ଶନ କରିଥିଲେ। ହେଲେ ୪-୩ ଗୋଲରେ ଝାରବେଡା ଦଳ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା।

ଏହି ଅବସରରେ ପୁରସ୍କାର ବିତରଣୀ ଉତ୍ସବ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖବରଦାତା ମହେନ୍ଦ୍ର କୁମାର ସାହୁ, ସମ୍ମାନୀୟ ଅତିଥି କାଲୋଷିହିରିଆ ସମିତି ସଭ୍ୟ ସଞ୍ଜୟ ଲୁଗୁନ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ଗ୍ରାମାଞ୍ଚଳର ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଥାଏ ବୋଲି ଅତିଥିମାନେ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ।

ବିଜୟୀ ଚାମ୍ପିୟନ ଦଳକୁ ଟ୍ରଫି ଏବଂ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସେହିପରି ରନର୍ସଅପ୍‌ ଚାନ୍ଦିପୋଷ ଦଳକୁ ଅତିଥିମାନେ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।

ପ୍ରତିଯୋଗିତାରେ୧୬ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ। ରେଫରି ଭାବେ ସନିକ ତିର୍କୀ, ରାଜା ଓରାମ ଏବଂ ଅଶ୍ୱିନୀ ଯାତେ ଖେଳ ପରିଚାଳନ କରିଥିଲେ। ଲୁଚାବାହାଲ ଷ୍ଟାର୍‌ କ୍ଲବ ପକ୍ଷରୁ ସଭାପତି ସଞ୍ଜୟ ଟପ୍ପୋ, ଉପ ସଭାପତି ଅଜିତ୍‌ ଓରାମ, ସମ୍ପାଦକ ରବୀନ୍ଦ୍ର ଏକ୍କା, କୋଷାଧ୍ୟକ୍ଷ ଜିତିଆ ଟପ୍ନୋ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଞ୍ଚାଳନ କରିଥିଲେ।

Share