ଯାଞ୍ଚ ସତ୍ତ୍ୱେ ଖାଦ୍ୟ ଅପମିଶ୍ରଣ ବଢୁଛି

ବ୍ରହ୍ମପୁର ଅଫିସ,୧୧ା୧୨: ବ୍ରହ୍ମପୁର ସହରରେ ଫାଷ୍ଟଫୁଡ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କୋହଳ ହେବା କାରଣରୁ ଖାଦ୍ୟ ଅପମିଶ୍ରଣ ହେଉଛି। ଏପରକି ଖାଦ୍ୟକୁ ଆକର୍ଷିତ କରିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି।
ସହରରେ ଖାଦ୍ୟ ଦୋକାନ ଗୁଡିକରେ ଯାଞ୍ଚ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ଖାଦ୍ୟ ସୁରକ୍ଷା ବିଭାଗରେ ୩ ଜଣ ଅଧିକାରୀ ରହିଛନ୍ତି। ଜଣେ ଅଧିକାରୀ ୱାର୍ଡ ନଂ ୧ଠାରୁ ୧୫ ପର୍ଯ୍ୟନ୍ତ ଖାଦ୍ୟ ଯାଞ୍ଚ ନିମନ୍ତେ ଦାୟିିତ୍ୱରେ ରହିଥିବା ବେଳେ ଅନ୍ୟଜଣେ ଅଧିକାରୀ ୱାର୍ଡ ନଂ୧୬ରୁ ୩୦ ଓ ଆଉ ଜଣେ ଅଧିକାରୀ ୱାର୍ଡ ନଂ ୩୧ରୁ ୪୨ ଅଞ୍ଚଳରେ ଖାଦ୍ୟ, ପଲିଥିନ ବ୍ୟବହାର ଓ ପାର୍କିଂ ବ୍ୟବସ୍ଥା ଆଦି ଯାଞ୍ଚ କରୁଛନ୍ତି। ବିଭିନ୍ନ ନିୟମ ଉଲ୍ଳଂଘନ ଖିଲାପ କରିଥିବା ୧୨ଟି ବ୍ୟବସାୟ ପ୍ରତିଷ୍ଠାନରୁ ପୂର୍ବରୁ ୯୨ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ଏପରିକି କେତୋଟି ବଡ଼ ରେଷ୍ଟୁରାଣ୍ଟ୍‌ ସିଲ କରାଯାଇଥିଲା। ଏହାକୁ ନେଇ ବହୁ ହୋଟେଲ ମାଲିକ ଜରିମାନା ଭୟରେ ରଙ୍ଗ ବ୍ୟବହାରରୁ ଦୂରେଇ ରହିଥିଲେ। ବିଭାଗୀୟ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସହରବାସୀ ସ୍ବାଗତ କରିଥିଲେ। ବର୍ତ୍ତମାନ ବିଏମସି ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକାରୀ କାୈଣସି କାରଣରୁ ଅନୁପସ୍ଥିତ ରହିଥିବା ବେଳେ ଅନ୍ୟ ୨ ଜଣ ଅଧିକାରୀଙ୍କ ପକ୍ଷରୁ ଆଉ ସେଭଳି ଖାଦ୍ୟ ଯାଞ୍ଚ ହେଉନି। ଫଳରେ ହୋଟେଲ ଓ ରେଷ୍ଟୁରାଣ୍ଟ୍‌ ମାଲିକମାନେ ପୂର୍ବଭଳି ଅପମିଶ୍ରିତ ଓ ରାସାୟନିକ ରଙ୍ଗ ମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଶତାଧିକ ଫାଷ୍ଟ ଫୁଡ ଦୋକାନରେ ରଙ୍ଗ ମିଶା ଖାଦ୍ୟ ବିକ୍ରି ହେଉଛି। ପରିିତାପର ବିଷୟ ସହରରେ କେତେ ଲାଇସେନ୍ସ ପ୍ରାପ୍ତ ଫାଷ୍ଟଫୁଡ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ୍‌ ରହିଛି, ସେ ସମ୍ବନ୍ଧରେ ତଥ୍ୟ ଦେଇପାରିବୁ ନାହିଁ ବୋଲି ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ବିଭାଗର ଜଣେ ଅଧିକାରୀ ସତ୍ୟଜିତ ବେହେରାଙ୍କୁ ଖାଦ୍ୟ ଯାଞ୍ଚ ବାବଦରେ ପଚାରିବାରେ ସେ କହିଛନ୍ତି, ପ୍ରତିଦିନ ଖାଦ୍ୟ ଯାଞ୍ଚ ପାଇଁ ଟିମ ଯାଉଛନ୍ତି। ଯେଉଁଠି ଅଭିଯୋଗ ଆସୁଛି, ସେ ସେଠାରେ ସଙ୍ଗେ ସଙ୍ଗେ ଚଢାଉ କରାଯାଇ ସଂପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।