କୁହୁଡ଼ି ଓ ଦୁର୍ଘଟଣା

ଶୀତ ସକାଳର ଥଣ୍ଡା, କୁହୁଡ଼ି। ତୀର୍ଯ୍ୟକ୍‌ ସୂର୍ଯ୍ୟ କିରଣରେ ଝଲସୁଥିବା ଘାସ ଆଉ ପତ୍ରରେ କାକରବିନ୍ଦୁ ଭାରି ମନୋରମ! ଶୀତବସ୍ତ୍ର ପିନ୍ଧି ଏହି ପାଗର ମଜାନେବାକୁ ବି ଅନେକଙ୍କଠାରେ କ୍ରେଜ୍‌ କହିଲେ ନ ସରେ। ହେଲେ କେବେ ଏହି କୁହୁଡ଼ି ଗାଡିମୋଟର ଚଳାଚଳରେ ବାଧା ସୃଷ୍ଟି କରେ ତ ପୁଣି କେବେ ଏହା ପାଲଟେ ଦୁର୍ଘଟଣାର କାରଣ …

ବର୍ତ୍ତମାନ ବୃଦ୍ଧି ପାଉଥିବା ଗାଡ଼ିମୋଟର, କଳ କାରଖାନା ସଂଖ୍ୟା ସାଙ୍ଗକୁ ଜଙ୍ଗଲ କ୍ଷୟ ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଏବଂ ଏହାର ତାପମାତ୍ରା ମଧ୍ୟ ଅହେତୁକ ଭାବେ ବଢୁଛି। ଫଳରେ ବାୟୁମଣ୍ଡଳରେ ସାଧାରଣଠାରୁ ଯଥେଷ୍ଟ ଅଧିକ ପରିମାଣରେ ଜଳୀୟବାଷ୍ପ ରହୁଛି, ଯାହାକି ଶୀତଦିନେ ଥଣ୍ଡା ହେବା ଦ୍ୱାରା ଘନୀଭୂତ ହେବା ସହ ଛୋଟ ଛୋଟ ଜଳକଣାରେ ପରିଣତ ହୋଇ କୁହୁଡ଼ି ଆକାରରେ ଭୂପୃଷ୍ଠ ନିକଟରେ ଭାସି ବୁଲୁଛି। ବାୟୁପ୍ରଦୂଷଣ ହେତୁ ଧୂଆଁମିଶା ଘନକୁହୁଡ଼ି ବା ସ୍ମଗ ସୃଷ୍ଟି ହେଉଛି ା ଏହି ଘନ କୁହୁଡ଼ି ଯୋଗୁ ଆଲୋକ ସଂକେତରେ ଚଳାଚଳ କରୁଥିବା ବିମାନ ଓ ରେଳଗାଡ଼ିରେ ବିଳମ୍ବ ଘଟୁଛି। କେବଳ ଏତିକି ନୁହେଁ, ଅଧିକ ସମୟ ପର୍ଯ୍ୟନ୍ତ ରାସ୍ତାଘାଟ ଭଲଭାବେ ଦେଖାଯାଉ ନ ଥିବାରୁ ଗାଡ଼ିମୋଟର ଦୁର୍ଘଟଣା ବୃଦ୍ଧିପାଉଛି ା
କୁହୁଡ଼ି ସମୟରେ ଯାନବାହନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କେତୋଟି ବିଷୟ ପ୍ରତି ସଜାଗ ହେବା ନିହାତି ଜରୁରୀ। ଜାଣିରଖନ୍ତୁ ସେ ସମ୍ପର୍କରେ…
– ଅଧିକ କୁହୁଡ଼ିରେ ସକାଳ ସମୟରେ ବି ସୂର୍ଯ୍ୟକିରଣ ଢାଙ୍କି ହୋଇ ରାସ୍ତାଘାଟ ଅନ୍ଧାରିଆ ଲାଗିଥାଏ। ତେଣୁ ଗାଡ଼ି ଚଲାଇବା ସମୟରେ ଅଧିକ କୁହୁଡ଼ି ସ୍ଥାନରେ କୁହୁଡ଼ିଜନିତ ଦୁର୍ଘଟଣା ହ୍ରାସ କରିବା ଲାଗି ବର୍ତ୍ତମାନ ଗାଡ଼ିଗୁଡିକରେ ଦିଆଯାଉଥିବା ସ୍ପେଶାଲ ଫଗ୍‌ ଲାଇଟ୍‌ (ହଳଦିଆ ଆଲୁଅ) ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।
– ସକାଳ ଏବଂ ସନ୍ଧ୍ୟା ସମୟରେ ବାହାରକୁ ଯାଉଥିଲେ କୁହୁଡ଼ି ପ୍ରତି ସତର୍କ ରୁହନ୍ତୁ। ଗାଡ଼ି ଚଲାଇବା ବେଳେ ସ୍ପିଡ୍‌ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ଅନ୍ୟ ଗାଡ଼ିଗୁଡିକଠାରୁ ଆବଶ୍ୟକ ଦୂରତା ରକ୍ଷା କରନ୍ତୁ। ବିଶେଷକରି ଟର୍ନିଂ ବା ବୁଲାଣି ସ୍ଥାନରେ ଗାଡ଼ି ଧୀରେ ଚଲାନ୍ତୁ ଏବଂ ଲମ୍ବା ହର୍ନ ଦିଅନ୍ତୁ। କାରଣ ଏଭଳି ସ୍ଥାନରେ ସାମାନ୍ୟ ଅସତର୍କତା ଯୋଗୁ ଦୁର୍ଘଟଣା ହେବାର ଆଶଙ୍କା ବେଶୀ।
– କୁହୁଡ଼ିରେ ରାସ୍ତା ଉପରେ ଚାଲୁଥିବା ପଶୁ ବିଶେଷକରି ଧଳା ବାଛୁରୀ, ଗାଈ, କୁକୁର ଆଦି ସହଜରେ ଦେଖାଯାଇ ନ ଥା’ନ୍ତି। ଏଣୁ ଦୁର୍ଘଟଣାର ଆଶଙ୍କା ବଢ଼ିଥାଏ। ତେଣୁ ଗାଡ଼ିର ସ୍ପିଡ୍‌ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ।
– କୁହୁଡ଼ିରେ ଦୁଇଚକିଆ ଗାଡ଼ିରେ ଯାତାୟାତ କରିବା ବେଳେ ବାରମ୍ବାର ହେଲ୍‌ମେଟ୍‌ ଗ୍ଲାସ୍‌ରେ କୁହୁଡ଼ି ଲାଗି ଅସ୍ପଷ୍ଟ ହୋଇଯାଏ। ତେଣୁ ଦେଖିବାରେ କଷ୍ଟ ହୋଇଥାଏ ଏବଂ ଦୁର୍ଘଟଣାର ଆଶଙ୍କା ବୃଦ୍ଧିପାଇଥାଏ। ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ସହ ମଝିରେ ମଝିରେ ଏହାକୁ କଟନ୍‌ କପଡ଼ାରେ ପୋଛନ୍ତୁ। ସେହିପରି କାର୍‌ ବ୍ୟବହାର କରୁଥିଲେ କୁହୁଡ଼ି ସମୟରେ ଡିଫ୍ରଷ୍ଟର ବ୍ୟବହାର କରନ୍ତୁ। କାରଣ କୁହୁଡ଼ି ଗାଡ଼ିର ଓ୍ବିଣ୍ଡସିଲ୍ଡରେ ଜମା ହେବା ଦ୍ୱାରା ଦେଖାଯିବା କଷ୍ଟ ହୋଇଥାଏ। ଆବଶ୍ୟକ ସ୍ଥଳେ ଓ୍ବାଇପର ମଧ୍ୟ ବ୍ୟବହାର କରନ୍ତୁ।
– କୁହୁଡ଼ିରେ ଗାଡ଼ି ଚଲାଉଥିବା ସମୟରେ ମୋବାଇଲ୍‌ରେ ଆଦୌ କଥା ହୁଅନ୍ତୁ ନାହିଁ। ଏପରିକି ଇୟରଫୋନ୍‌ କିମ୍ବା ବ୍ଲୁଟୁଥ୍‌ ବ୍ୟବହାର କରିବା ମଧ୍ୟ ବିପଜ୍ଜନକ। ଏହାଦ୍ୱାରା ନା କେବଳ ଆପଣ ଅନ୍ୟମନସ୍କ ହେବା କିମ୍ବା ପଛ ଗାଡ଼ିଗୁଡିକର ହର୍ନ ନ ଶୁଣି ପାରିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ବରଂ କୁହୁଡ଼ି ସଂସ୍ପର୍ଶରେ ଆସି ମୋବାଇଲ୍‌ ଖରାପ ହେବାର ମଧ୍ୟ ଆଶଙ୍କା ରହିଛି।