ପ୍ଲାଷ୍ଟିକ ବୋତଲରେ ଫୁଲବଗିଚା

ପୁରୀ ଅଫିସ, ୧।୮:  ପ୍ରତି ତାଙ୍କର ଆଗ୍ରହ ଥିଲା। ଆଉ ତାଙ୍କ ହାତରେ ଗଛ ଭଲ ହୁଏ ବୋଲି ମା’ କୁହନ୍ତି। ତେଣୁ ବର୍ଷାଦିନେ ତାଙ୍କ ଘରବାଡ଼ିିରେ ଯେଉଁ ଗଛ ଲଗାଯାଏ ତାକୁ ସେ ହିଁ ଲଗାଇଥାନ୍ତି। ଏବେବି ତାଙ୍କର ଏହି ଆଗ୍ରହ ଜାରି ରହିଛି। ରେଲୱେରେ କାମ କରୁଥିଲେ ବି ଫୁରସତ୍‌ ସମୟ ବାହାର କରି ଗଛ ଲଗାଉଛନ୍ତି। ସବୁଠୁ ବଡ଼ କଥା ହେଉଛି ବାହାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ସେଥିରେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି। ଏମିତି ଜଣେ ବୃକ୍ଷପ୍ରେମୀ ମଣିଷ ହେଉଛନ୍ତି କାମଦେବ ମହାରଣା। ପରିବେଶ ପ୍ରତି ତାଙ୍କର ଦୁର୍ବଳତା ଯୋଗୁ ଅନେକେ ତାଙ୍କୁ ନେଚର ମ୍ୟାନ୍‌ ବୋଲି ଡାକିଥାନ୍ତି। ଅସ୍ତରଙ୍ଗ ବଡ଼ଗୋଲା ଅଞ୍ଚଳର କାମଦେବ ରେଲ୍‌ଓ୍ବେରେ ଗେଟ୍‌ କିପର ଭାବେ କାମ କରୁଛନ୍ତି। ପୁରୀ ସିଦ୍ଧମହାବୀର ଲେଭଲ କ୍ରସିଂରେ କାର୍ଯ୍ୟରତ କାମଦେବ ଏହି ଲେଭଲ କ୍ରସିଂ ଅଫିସକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିଦେଇଛନ୍ତି। ବାହାରେ ଫିଙ୍ଗାଯାଉଥିବା ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ ବୋତଲକୁ ସେ ଗୋଟାଇ ଆଣି ସେଥିରେ ଫୁଲଗଛ ଲଗାଇ ବଗିଚା ଭଳି ସଜାଇଛନ୍ତି। କାମଦେବ କହିଛନ୍ତି, ଅନେକ ସମୟରେ ପାସେଞ୍ଜରମାନେ ଟ୍ରେନରେ ପାଣି ପିଇସାରି ଖାଲି ବୋତଲ ଫିଙ୍ଗି ଦେଇଥାନ୍ତି। ଏହି ବୋତଲକୁ କିପରି ବ୍ୟବହାର କରିହେବ ଚିନ୍ତା କରି ସେଥିରେ ଗଛ ଲଗାଇବାର ନିଜ ଆଗ୍ରହକୁ ସେ ସଫଳ କରିଛନ୍ତି। ବୋତଲକୁ କାଟି ସେଥିରେ ମାଟି, ଗୋଡ଼ି ଦେଇ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛନ୍ତି। ଲୁହା ତାର ଦେଇ ଏହି ଗଛଗୁଡ଼ିକୁ ଗ୍ରୀଲରେ ଝୁଲାଇଛନ୍ତି। ସବୁଦିନ ଡ୍ୟୁଟିକୁ ଆସିବା ପରେ ପ୍ରଥମେ ଗଛଗୁଡ଼ିକରେ ପାଣି ଦେଇ ଯତ୍ନ ନିଅନ୍ତି। ଲେଭଲ କ୍ରସିଂ ଅଫିସକୁ ଏକ ବଗିଚାର ରୂପ ଦେଇଛନ୍ତି। ଏଥିରେ ତାଙ୍କୁ ସହକର୍ମୀମାନେ ବି ସହଯୋଗ କରନ୍ତି।
କାମଦେବଙ୍କ ମତରେ ବର୍ଜ୍ୟବସ୍ତୁର ଉଚିତ ବ୍ୟବହାର କରିପାରିଲେ ତାହା ପରିବେଶ ଅନୁକୂଳ ହୋଇପାରିବ। ବର୍ତ୍ତମାନ କରୋନା ଯୋଗୁ ବେଶି ଟ୍ରେନ୍‌ ଚଳାଚଳ କରୁ ନ ଥିବାରୁ ସେ ବିଭିନ୍ନ ଗଛ ଲଗାଇ ସେମାନଙ୍କ ଯତ୍ନ ନେବାରେ ସମୟ କାଟୁଛନ୍ତି। ଫନୀ ବାତ୍ୟାରେ ଏହି ଗେଟ୍‌ ଅଫିସ ଭାଙ୍ଗିଯାଇଥିଲା। ଏହା ପୁନଃ ନିର୍ମାଣ ହେବା ପରେ ସେଥିରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ବିଭିନ୍ନ ପ୍ରକାର ହ୍ୟାଙ୍ଗିଙ୍ଗ୍‌ ପ୍ଲାଣ୍ଟ ସହ ଗୋଲାପ, ମନ୍ଦାର ଆଦି ଗଛ ଲଗାଇଛନ୍ତି। ଏହାବ୍ୟତୀତ କ୍ରୋଟନ ଗଛ ବି ରହିଛି। କେବଳ ତାଙ୍କ ଅଫିସ ନୁହେଁ, ନିଜେ ରହୁଥିବା ପିକେଆର୍‌ଆଇଟି ଘରକୁ ବି ଏମିତି ଫୁଲ ଓ ଫଳ ଗଛରେ ସେ ସଜାଇଛନ୍ତି। କେବଳ ଗଛ ପ୍ରତି ତାଙ୍କର ଯେ ଭଲ ପାଇବା ରହିଛି ତା ନୁହେଁ, ସମୟ ପାଇଲେ ସେ କବିତା ଲେଖିଥାନ୍ତି। ଏକାଧିକ ସାହିତ୍ୟ ଆସର ଓ କବି ସମ୍ମିଳନୀରେ ଭାଗ ନେଇଥିବା କାମଦେବଙ୍କର ତିନୋଟି କବିତା ପୁସ୍ତକ (କବି, ଛାଇ ସହ ସବୁଦିନ ଓ କଫି ବଗିଚା) ମଧ୍ୟ ପ୍ରକାଶ ପାଇଛି।