ବୈତରଣୀ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ପାଟଣା,୨୭।୫(ସ୍ବ.ପ୍ର.): ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲାରେ ପ୍ରବଳ ବୃଷ୍ଟିପାତ ହୋଇଛି। ଫଳରେ ବୈତରଣୀ ନଦୀ ଓ ତାର ଶାଖା ନଦୀଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି। ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀ ପୋଲ ଉପରେ ବୁଧବାର ରାତ୍ରି ଗୋଟାଏରୁ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବ୍ୟସ୍ତ ବହୁଳ ୪୯ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବହୁସଂଖ୍ୟକ ମାଲବାହୀ ଯାନବାହନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି। ଅନୁରୁପଭାବେ ପାଟଣା ବୈତରଣୀ ନଦୀ ପୋଲ ଓ ପରମେଶ୍ୱର ମନ୍ଦିର ନିକଟରେ ନଦୀ ଫୁଲିବାରେ ଲାଗିଛି। ସେହିପରି ପାଟଣା ଢେଙ୍କିକୋଟ ରାସ୍ତାର ସ୍ବାମ ନାଳ ପୋଲ ଉପରେ ବନ୍ୟା ଜଳ ଚାଲୁଥିବାରୁ ପାଟଣାରୁ ଢେଙ୍କିକୋଟ ଯୋଗାଯୋଗ ବିଛିନ୍ନ ହୋଇଛି। ଧାନ ବେଣୀରୁ କପୁଣ୍ଡି ରାସ୍ତାରେ ଥିବା ପୋଲ ଉପରେ ବନ୍ୟାଜଳ ପ୍ରଭାହିତ ହେଉଥିବାରୁ ମିରିଖୋଜି, କୁଣ୍ଡଳାଲୋକେ ପାଟଣା ମୁଖ୍ୟାଳୟକୁ ଆସିପାରୁନାହାନ୍ତି। ଗୁରବାର ସକାଳୁ ମଧ୍ୟ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଲାଗିରହିଥିବା ଜଣାପଡ଼ିଛି।