ଧୋୟାଞ୍ଚଳ ଜଳାର୍ଣ୍ଣବ, ବ୍ୟାପକ ଫସଲହାନି

ପଟ୍ଟାମୁଣ୍ଡାଇ,୨୦।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇପଡିଛି। ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁ ଚାଷ ଜମି ବନ୍ୟା ପାଣିରେ ଘେରରେ ରହିଥିବା ବେଳେ ବହୁ ଖାଲୁଆ ସ୍ଥାନରେ ରାସ୍ତାଘାଟ ବୁଡି ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ସିଂହଗଁା ଆଦି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ଚାଷ ଜମି ଜଳମଗ୍ନ ହୋଇପଡିଛି। ଫଳରେ ବ୍ୟାପକ ଫସଲହାନି ଘଟିଛି।
ଅଳପୁଆ ପଞ୍ଚାୟତର ଦାମୋଦରପାଟଣା, ତଳାପଡିଆ, ଜେନାସାହି, ଅଣ୍ଢରା ପଞ୍ଚାୟତର ବ୍ରହ୍ମପୁର, ବିଷ୍ଣୁପୁର, ବ୍ରାହ୍ମଣସାହି, ତରଡ଼ିପାଳ ପଞ୍ଚାୟତର ପୋଖରୀକୁଳ, ଗୋପାଳପୁର, ପେଣ୍ଠପାଳ ପଞ୍ଚାୟତର ପେଣ୍ଠପାଳ, ଦାଣ୍ଡିସାହି, କୁଳସାହି, ବାଲିକିରା ଅମୃତମଣୋହି ପଞ୍ଚାୟତର ସିଦ୍ଧବାଲି, ଜଗନ୍ନାଥପୁର, ଶାନ୍ତିପଡା ଆଦି ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବା ସହ ଚାଷ ଜମି ଜଳାର୍ଣ୍ଣବ ହୋଇପଡିଛି। ଚାଷୀମାନେ ଧାର କରଜ କରି ଚାଷ କରିଥିଲେ ମଧ୍ୟ ବନ୍ୟା ଯୋଗୁ ଫସଲ ନଷ୍ଟ ଆଶଙ୍କାରେ ଚିନ୍ତାରେ ପଡିଛନ୍ତି। ଗୁହପାଳିତ ପଶୁମାନେ ଖାଦ୍ୟ ନ ପାଇ ହଇରାଣ ହେଉଛନ୍ତି। ବନ୍ୟା ପରିସ୍ଥିତି ସ୍ଥିର ଥିବାବେଳେ ଲଗାଣ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି। ବନ୍ୟା ଯୋଗୁ ନଦୀ କୁଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆବଶ୍ୟକ ଡ଼ଙ୍ଗା ନ ଥିବାରୁ କଦଳୀ ଭେଳା ପାର ହେବା ପାଇଁ ଏକମାତ୍ର ମାଧ୍ୟମ ପାଲଟିଛି। କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କିଶୋର ତରାଇ ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳରେ ଥିବା ସିଂହଗଁା, ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ ପଞ୍ଚାୟତ ଶୁକ୍ରବାର ବୁଲି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ଲୋକମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ତରେଇଙ୍କ ସହିତ ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ସାମାଜିକ କର୍ମୀ ମନୋରଞ୍ଜନ ସ୍ବାଇଁ, ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ, ସୁକାନ୍ତ ଦାସ ପ୍ରମୁଖ ବନ୍ୟା ବିପନ୍ନ ଧୋୟାଞ୍ଚଳ ବୁଲିଥିଲେ। ପୂର୍ବତନ ବିଧାୟକ ତରାଇ ବନ୍ୟା ବିପନ୍ନ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ।