ବଲାଙ୍ଗୀର,୧୫ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗଁା ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ କରାଯାଉଛି। ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲାପାଳ, ଏସ୍ପି, ଖଣି ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ୧୯୮୨ ମସିହାର ପ୍ରବଳ ବନ୍ୟା ଯୋଗୁ ରଫାଖାଲ ଗ୍ରାମ ବହୁଳ ଭାବେ ପ୍ରଭାବିତ ହୋଇଥିଲା। ଶତାଧିକ ଏକର ଜମିରେ ବନ୍ୟାଜଳ ମାଡିଯିବା ସହ ବାଲିଚର ହୋଇଯାଇଥିଲା। ସେହି ବର୍ଷ ପରଠାରୁ ସାଧାରଣ ବନ୍ୟା ହେଲେ ମଧ୍ୟ ଅଙ୍ଗନଦୀ କୂଳ ଜମିରେ ବାଲିଚର ହୋଇଯାଉଥିଲା। ଗ୍ରାମବାସୀଙ୍କ ବାରମ୍ବାର ଦାବି ଏବଂ ଅନୁରୋଧ ପରେ ପ୍ରାୟ ୬/୭ ବର୍ଷ ତଳେ ସରକାର ରଫାଖାଲ ଗ୍ରାମର ଅଙ୍ଗନଦୀ କୂଳରେ ବନ୍ୟା ପ୍ରତିରୋଧକାରୀ ଆଡିବନ୍ଧ ନିର୍ମାଣ କରିଥିଲେ। ଏହାପରେ ରଫାଖାଲ ଗ୍ରାମ ଓ ଏହାର ଆଖପାଖ ଚାଷଜମି ବନ୍ୟାଜଳରୁ ରକ୍ଷା ପାଇବା ସହ ବାଲିଚରମୁକ୍ତ ହୋଇଥିଲା। ତେବେ କିଛିଦିନ ତଳେ କେତେଜଣ ଦୁର୍ବୃତ୍ତ ଉକ୍ତ ବନ୍ୟା ପ୍ରତିରୋଧକାରୀ ଆଡିବନ୍ଧକୁ ବେଆଇନ ଭାବେ କାଟି ଦେଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଅଙ୍ଗନଦୀରୁ ବାଲିଚୋରି ପାଇଁ ଦୁର୍ବୃତ୍ତମାନେ ଆଡିବନ୍ଧ କାଟି ଦେଇଛନ୍ତି। ନଦୀ ଭିତରକୁ ଜେସିବି, ଟ୍ରାକ୍ଟର ଓ ହାଇୱା ନେବା ପାଇଁ ଆଡିବନ୍ଧରେ ପ୍ରାୟ ୪୦ ଫୁଟ୍ କାଟି ରାସ୍ତା ତିଆରି କରିଛନ୍ତି। ଯେଉଁ ସ୍ଥାନରେ ଆଡିବନ୍ଧ କଟାଯାଇଛି ସେଠାରେ ସରକାରୀ ବାଲିଘାଟ ନାହିଁ। ଖଣି ବିଭାଗ ଦ୍ୱାରା କୌଣସି ଲୋକଙ୍କୁ ସେଠାରେ ବାଲି ଠିକା ଦିଆଯାଇନାହିଁ। ଏହାସତ୍ତ୍ୱେ ସେଠାରୁ ପ୍ରତିଦିନ ବାଲି ଚୋରାଚାଲାଣ ହେଉଛି। ଗୋଟିଏ ରାତିରେ ସେଠାରୁ ୩୦/୪୦ ଟ୍ରିପ୍ ବାଲି ଚୋରାଚାଲାଣ ହେଉଥିବା ଗ୍ରାମବାସୀ କହିଛନ୍ତି। ଅଙ୍ଗନଦୀ ଆଡିବନ୍ଧ କଟାଯିବା ନେଇ ଲୋଇସିଂହା ଥାନାରେ ସୋମବାର ରଫାଖାଲ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ଦିଆଯାଇଥିଲା। ଏଥିସହ ଏହାର ନକଲ ଜିଲାପାଳ, ଏସ୍ପି, ସଦର ଏସ୍ଡିପିଓ, ଖଣି ଅଧିକାରୀ ଏବଂ ସାଲେଭଟା ଫାଣ୍ଡି ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଅଙ୍ଗନଦୀରୁ ବାଲି ଚୋରାଚାଲାଣ ହେଉଥିବାରୁ ରାତିରେ ଏହି ରାସ୍ତାରେ ଯିବାଆସିବା କରିବା ବିପଜ୍ଜନକ ହୋଇପଡିଛି। ଆଡିବନ୍ଧ କାଟି ଦେଇଥିବାରୁ ଆଗକୁ ଗ୍ରାମ ଭିତରକୁ ବନ୍ୟାଜଳ ପଶିବ ଏବଂ ଚାଷଜମି ବାଲିଚର ହେବା ଆଶଙ୍କା ଦେଖାଦେଇଛି। ବାଲି ଚୋରଙ୍କ ଉପତ୍ାତ ଯୋଗୁ ଉକ୍ତ ଗ୍ରାମର ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ତୁରନ୍ତ ଏଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କୁ (ମୋବାଇଲ ନମ୍ବର ୭୩୮୧୪୩୫୯୯୬) ଏବଂ ଖଣି ବିଭାଗ ଉପନିର୍ଦ୍ଦେଶକ ବୀରକିଶୋର ତୀର୍କିଙ୍କୁ (ମୋବାଇଲ ନମ୍ବର ୬୩୭୧୦୪୨୬୧୬)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନଥିଲେ।
Dharitri – Odisha’s No.1 Odia Daily

