ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାର ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ଇଣ୍ଡିଆଓୱାନ ବିମାନ। ଏହି ବିମାନରେ ୯ଟି ସିଟ୍‌ ରହିବ। ଭୁବନେଶ୍ୱରରୁ ଜୟପୁରକୁ ଭଡ଼ା ୨,୫୦୦ ଟଙ୍କା ରହିଛି। ଏହି ବିମାନଟି ଭୁବନେଶ୍ୱରରୁ ସକାଳ ୧୧.୩୫ରେ ଛାଡ଼ି ଏବଂ ଜୟପୁରରେ ଅପରାହ୍ନ ୧.୨୦ରେ ଅବତରଣ କରିବା ସେହିଭଳି ବିମାନଟି ଜୟପୁରରୁ ଅପରାହ୍ନ ୪.୫ରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ୫.୫୦ରେ ପହଞ୍ଚିବ।

୯ ଜଣ ଯାତ୍ରୀଙ୍କୁ ନେଇ ପ୍ରତିଦିନ କେବଳ ଗୋଟିଏ ବିମାନ ଉଡ଼ିବ। ପ୍ରତ୍ୟେକ ଯାତ୍ରୀଙ୍କ ଟିକେଟ ଭଡ଼ା ୨୫୦୦ଟଙ୍କା ହେବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଏୟାରଲାଇନ୍ସ ଶୁକ୍ରବାର ରାତିରେ ଏହାର ଅଫିସିଆଲ ଟୁଇଟରରେ ଆକାଉଣ୍ଟରେ ଏହି ଘୋଷଣା କରିଥିଲା। ନଭେମ୍ବର ୯ ପର୍ଯ୍ୟନ୍ତ ୯୯୯ ଟଙ୍କା ମୂଲ୍ୟର ପ୍ରାରମ୍ଭିକ ଅଫର ସହିତ ସମସ୍ତ ଟିକେଟ ବିକ୍ରି ହୋଇଥିବାର ଉଲ୍ଲେଖ କରିଛି। ନଭେମ୍ବର ୯ ପର୍ଯ୍ୟନ୍ତ ବୁକିଂ ଖୋଲା ରହିବ। ଘୋଷଣାର କିଛି ଘଣ୍ଟା ମଧ୍ୟରେ ବିମାନର ସମସ୍ତ ସିଟ୍‌ ବିକ୍ରି ହୋଇଯାଇଥିଲା।

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଓଡ଼ିଶାର ଏହା ହେଉଛି ପ୍ରଥମ ବିମାନବନ୍ଦର ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେବ।