Posted inଫୁରସତ

ବୋଉ କହିଲା ପ୍ରଥମ ରୋଜଗାର ଟଙ୍କା ଦିଅଁଙ୍କ ପାଖରେ ରଖିଦେ: କଥାକାର ଲୋପାମୁଦ୍ରା ପରିଡା

ପ୍ରଥମ ରୋଜଗାରର ଶୀର୍ଷକରେ ଧରିତ୍ରୀରେ ଯେତେବେଳେ କାହାକୁ ପଢ଼ୁଥିଲି, ସେତେବେଳେ ଭାବୁଥିଲି ଯଦି କୋଉ ଦିନ ମତେ ଲେଖିବାକୁ ସୁଯୋଗ ମିଳେ ମୁଁ କ’ଣ ବା ଲେଖିବି ! ସବୁ ପ୍ରଥମରେ ଯେମିତି ବହେ ଅଙ୍କ କଷା ପାଠ ଥାଏ, ଆଣ୍ଠେଇ ପେଟେଇ ଶିଖୁ ଭଲମନ୍ଦ ସେମିତି ହିଁ ସାଧାରଣ ଥିଲା ମୋ ପ୍ରଥମ ରୋଜଗାର କଥା।

ସେତେବେଳେ ମୋ ବୋଉ ଅତ୍ୟନ୍ତ ଅସୁସ୍ଥ। ପ୍ରତି ସପ୍ତାହରେ ତିନି ଥର ଡାଏଲିସିସ। ବୋଉକୁ ବୟାଳିଶି ମତେ ତେଇଶି । ବାପା ଦିନରାତି ଏକାକାର କରୁଥାନ୍ତି ବୋଉର ଚିକିତ୍ସାରେ। ବୋଉ ଭାବୁଥାଏ ମୁଁ ଅଛି, ବଞ୍ଚିଛି ବୋଲି ସିନା ସମସ୍ତେ ଏତେ ହଇରାଣ ହେଉଛନ୍ତି,ପୁଣି ଭାବୁଥାଏ ମୁଁ ଅଛି ବୋଲି ତ ଏମାନେ ଯେମିତି ହଉ ପଛେ ଟାଣିଭିଡି ହସୁଛନ୍ତି, ଗଣ୍ଡେ ଫୁଟେଇ ଦେଲେ ଖାଉଛନ୍ତି । ଏପଟେ ପାଣି ଭଳିଆ ପଇସା ବହି ଯାଉଥାଏ। ବାପା ବୋଉ ରାତି ରାତି ଚିନ୍ତାରେ ନ ଶୋଇ ପାରିଲେ ବି ଆମ ପିଲାଙ୍କ ଆଗରେ ଦମ୍ଭ ଧରୁଥାନ୍ତି। ମୁଁ ବୋଉ ସାଙ୍ଗରେ ସବୁ ଡାକ୍ତର ଦେଖାବେଳେ ଯାଏ। ଦିନେ ଡାକ୍ତର କହିଲେ, ତମେ ଏକା ଆସିଛ? ତମ ସାଙ୍ଗରେ କେହି ବଡ଼ ମଣିଷ ନାହାନ୍ତି? ମୁଁ ମନ ଟାଣ କରି କହିଲି, ମତେ କୁହନ୍ତୁ। ରାସ୍ତାରେ ବୋଉ ପଚାରିଲା, କଣ କହିଲେ ଡାକ୍ତର? ମୁଁ କିଛି କହିବା ଅବସ୍ଥାରେ ନ ଥିଲି। ବୋଉ କହିଲା, କ’ଣ ମୁଁ ଆଉ ବେଶି ଦିନ ନୁହେଁ କହିଲେ କି? ତୁ ବ୍ୟସ୍ତ ହ’ନା। ମୁଁ ଅଛି। ମୁଁ କୁଆଡ଼େ ଯିବି ତମକୁ ସବୁ ଛାଡିକି ଲୋ । ରାତିରେ ବାପା ବୋଉ କଥା ହଉଥାନ୍ତି। ମୋ କାନରେ ପଡୁଥାଏ। ବୋଉ କହୁଥାଏ ମୋ ଯୋଗୁଁ ଭାରି ହଇରାଣ ହଉଛ ନା। ପିଲାଙ୍କ ପାଇଁ କେତେ କ’ଣ ସ୍ବପ୍ନ ସାଇତିଥିଲି ସବୁ ତ ମୋ ପଛରେ ସରିଲାଣି। ତା ସ୍ବର ଥରୁଥାଏ। ସେଇଦିନ ମୁଁ ଭାବିଲି ଇଂଜିନିୟରିଂ ସାରି ବସିଛି କ’ଣ କୁଆଡେ କରିବି। ସେତିକି ବେଳେ ମୋ କଟକି ସାଙ୍ଗ ସୋପା କହିଲା , ଫ୍ରଣ୍ଟ ଅଫିସ କାମ କରିବୁ, ଦରମା ଦୁଇ ହଜାର? ତତେ କହିବାକୁ ତ ଭଲ ଲାଗୁନି ଏଇ କାମ ପାଇଁ ହେଲେ କଣ କରିବା ! ପରିସ୍ଥିତି ହିଁ ସେମତି। ମୁଁ ରାଜି ହେଇଗଲି। ବାପା ଅରାଜି କିନ୍ତୁ କିଛି କହିଲେନି। ବୋଉ ଲୁହରେ ଉତ୍ତର ରଖିଲା।

ସାନ ଭାଇ ସେତବେଳକୁ ପ୍ଲସ ଟୁ ପ୍ରଥମ ବର୍ଷ। ସିଏ କଲେଜ ଯାଏ, ବାପା କଚେରୀ ଯିବେ ଆଉ ମୁଁ ବୋଉର କଣ କାମ ହବ, ରନ୍ଧା କଣ ହବ, ଘର କାମ ଯାହା ତାହା ତୁଟେଇ ଦିନ ଦଶରେ ବାହାରେ। ମତେ ପୁଣି ସେତେବେଳେ କିଛି କାମ ଆସୁ ନ ଥାଏ। ବୋଉର ପୂରା ଦୁର୍ବଳ ଅବସ୍ଥା। ଦି’ପହର ବେଳକୁ ଆସେ। ବୋଉକୁ କ’ଣ ଟିକେ ଖୁଆଏ, ବାପା ଆସି ରାନ୍ଧିଥାନ୍ତି, ବୋଉ ସେଇଥିରେ ଘୋସାରି ହେଇ ହାଣ୍ଡିରେ ଲୁହାଖଡିକା, ଡାଲିଚଟୁ ବୁଲେଇ ଆସେ । ପରିବା କାଟୁ କାଟୁ ଦି’ ତିନିଥର ବାନ୍ତି କରେ।
ମୁଁ କ’ଣ ଦିଟା ପାଟିରେ ପୂରେଇ ଫେରିଯାଏ। ଅଫିସ୍‌ ବୋଲି ଯୋଉ ଜାଗା ସେଠି ମତେ କେହି ପସନ୍ଦ କରନ୍ତିନି।

ପୁରୁଣାକାଳିଆ କୁହନ୍ତି ଆଉ ମିଶନ୍ତିନି। ସେମାନଙ୍କ ଅତ୍ୟାଧୁନିକ ଢଙ୍ଗଢାଙ୍ଗ ଆଗରେ ମୁଁ ନିରସ, ବେଢଙ୍ଗ ଆଉ ପାଣିଚିଆ । ମୁଁ ସେଠି ମୋର ସାଧ୍ୟ ମତେ ମିଶିବାକୁ ହସିବାକୁ ଚେଷ୍ଟା କରୁଥାଏ ଓ ମୋତେ ଦିଆଯାଇଥିବା ଦାୟିତ୍ୱ ଶହେରୁ ଶହେ ଠିକ୍‌ କରୁଥାଏ। ହେଲେ କିନ୍ତୁ ସେ ପରିବେଶ କିଛି ସୁହାଉ ନ ଥାଏ। ଘରେ ଏ ନେଇ କିଛି କହିନଥାଏ ସେ ଯାଏ।
ହଉ ସିଏ ଯା ହଉ ପଛେ ମାସ ଶେଷକୁ ଦି’ହଜାରଟେ ମିଳୁ।

ବାପାଙ୍କୁ ଦେବି। ହଉ ପଛେ ଗୁଣ୍ଡୁଚି କିଛି ତ କାମରେ ଲାଗିବି। ମାସ ଯେତେ ପୁରି ପୁରି ଆସୁଥାଏ ମୁଁ ଗୋଟେ ଅପେକ୍ଷାକୁ ସାଉଣ୍ଟୁ ଥାଏ। ଅଜଣା ପୁଲକଟେ ପୋଷି ହେଉଥାଏ ବାପାଙ୍କର ସାହସ ହେଇ ଠିଆ ହବାର । ତିରିଶି ତାରିଖ ଟପିଲା। ଏକ ତିରିଶି ବି ଗଲା। ଏକ ତାରିଖ ଦିନ ଅଫିସ୍‌ ମାଲିକ ଡାକି ବଢେଇ ଦେଲେ ବାରଶ ଟଙ୍କା। ମତେ ଗଣନା ବାଗ ଜଣା ନାହିଁ। ମୁଁ ଚାରିଥର କି ଗଣି ମନେ ପକେଇଲି ସୋପା ତ କହିଥିଲା ଦୁଇହଜାର ଦେବେ, ଏତିକି କଣ! ତଥାପି କାହା ମୁହଁ ରେ କିଛି କେବେ କହି ନ ପାରିବାର ଗୁଣ ଯୋଗୁ ସେତିକି ମୁଠେଇ ଧରି କାଠ ପରି ଠିଆ ହେଇଥାଏ।

ପୁଣି କହିଲେ, ତମର ଆଉ କାଲିଠୁ ଆସିବା ଦରକାର ନାହଁି। ଆମେ ନୂଆ ପିଲା ନେଇ ସାରିଛୁ। ତମେ କାମ ଭଲ କରୁଛ ହେଲେ ଆମକୁ ଆଉ ଟିକେ ମଡର୍ନ ପିଲା ଦରକାର। ପରାଜିତ ହେବାର ଦୁଃଖ କରିବି କି ମୁକ୍ତ ହବାର ଆନନ୍ଦ ଅବୁଝା ଥିଲା।
ଏପ୍ରିଲ ଏକ ତାରିଖ। ସାଇକେଲ ନେଇ ଘରକୁ ଫେରି ସେଦିନ ବୋଉ ପାଖରେ ବସି ପଡ଼ିଲି। ବୋଉ ହାତକୁ ବଢେଇ ଦେଲି ପଇସା ତକ ଆଉ କହିଲି, ମନା କରିବୁ ଯଦି କାଲିଠୁ ଆଉ ଯିବିନି। ତୋ ପାଖରେ ରହିବି।

ବୋଉ କିଛି କହିଲାନି। ଖାଲି ଆଉଁସି ଦେଲା ଆଉ କାଳିଆ ଫଟୋକୁ ଅନେଇ ହାତ ଯୋଡ଼ିଲା ଆଉ ଆଖିରେ କହିଲା ଦିଅଁଙ୍କ ପାଦ ତଳେ ରଖିଦେ । ବାପା ଆସି ପହଞ୍ଚିଲେ ସେତିକି ବେଳେ ଆଉ କହିଲେ, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯା’ ପଢାପଢିରେ ମନ ଦେ। ପରିଶ୍ରମର ଫଳ ଈଶ୍ୱର ଯାଚି ଦିଅନ୍ତି ମାଆ ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri