ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି ଆସୁଛି ମୋ ପିଲାଦିନ, ଶିକ୍ଷା ଓ କର୍ମସଂସ୍ଥାନ ତଥା ରୋଜଗାର ପାଇଁ ଉଦ୍ୟମ। ଜନ୍ମ ମୋର ପୁରୀରେ। କିନ୍ତୁ ବାପାଙ୍କ ସରକାରୀ ଚାକିରି ଓ ବିଭିନ୍ନ ସ୍ଥାନକୁ ବଦଳି ଯୋଗୁଁ ଅବିଭକ୍ତ ପୁରୀ ଜିଲାର ଓଡ଼ଗାଁ, ବେଗୁନିଆ ଓ ବାଣପୁରରେ ମୋର ସ୍କୁଲ ଜୀବନ ବିତିଥିଲା। ପିଲାବେଳୁ ମୋର ସ୍ବାସ୍ଥ୍ୟ ଦୁର୍ବଳ ଥିଲା, କିନ୍ତୁ ପାଠପଢ଼ାରେ ଥିଲି ବେଶ୍ ମେଧାବୀ। ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇବା ସହ ସପ୍ତମ ଶ୍ରେଣୀରେ ଏନ.ଆର୍.ଟି.ଏସ. ପରୀକ୍ଷାରେ ବି କୃତିତ୍ୱ ଅର୍ଜନ କରିଥିଲି। ମାଟ୍ରିକ ପରୀକ୍ଷାରେ ଛଅ ଶହରୁ ଅଧିକ ମାର୍କ ରଖି ବିଜେବି କଲେଜରେ ଯୁକ୍ତ ୨ ବିଜ୍ଞାନ ପଢିବା ସମୟରେ ମେରିଟ୍ ସ୍କଲାରଶିପ ବି ପାଉଥିଲି। ମା’, ବାପା, ଶିକ୍ଷକ ତଥା ବନ୍ଧୁବାନ୍ଧବମାନେ ମୋଠାରୁ ଆଶା ରଖିଥିଲେ ଅନେକ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଗତ କାରଣ ଓ ଅମନଯୋଗିତା କାରଣରୁ ମୋ ପ୍ରଦର୍ଶନରେ ଆସିଥିଲା ଅସ୍ଥିରତା। ୧୯୯୬ ମସିହାରେ ବାପା ଅବସର ନେଇ ନିଜ ବାସସ୍ଥାନ ପୁରୀ ମାର୍କଣ୍ଡେଶ୍ୱର ସାହିକୁ ଫେରିଲା ବେଳକୁ ମୁଁ ଇଞ୍ଜିନିୟରିଂ ପଢ଼ା ସାରିଥିଲେ ବି ଭଲ ରୋଜଗାର ହେଉଥିବା ଚାକିରିଟିଏ ଯୋଗାଡ଼ କରିପାରି ନ ଥିଲି। ଯଦିଓ ବାପାଙ୍କ ଚାକିରି କାଳ ଭିତରେ ଭଉଣୀମାନେ ବାହା ହୋଇ ସାରିଥିଲେ ଓ ବଡ଼ଭାଇ ଚାକିରି କରି ସାରିଥିଲେ କିମ୍ବା ସେ ମୋ ଉପରେ ଆର୍ଥିକ ଭାବରେ ନିର୍ଭରଶୀଳ ନ ଥିଲେ, ତଥାପି ତାଙ୍କୁ କିଛି ସାହାଯ୍ୟ କରିପାରୁ ନ ଥିବାର ଗ୍ଳାନି ମୋ ଭିତରେ ଜମାଟ ବାନ୍ଧୁଥିଲା। କିଛିଦିନ ପରେ ଯାଜପୁରସ୍ଥିତ ନୀଳାଚଳ ଇସ୍ପାତ ନିଗମରେ ଚାକିରିରେ ଯୋଗଦାନ କଲି। ପ୍ରଥମ ଦୁଇ ବର୍ଷ ଥିଲା ଟ୍ରେନିଂ ପିରିୟଡ଼ ଆଉ ଦରମା ଥିଲା କମ୍।
କୁହାଯାଏ, ସ୍ବପ୍ନଠାରୁ ବାସ୍ତବତାର ବ୍ୟବଧାନ ଯେତେବେଳେ ଢେର୍ ଅଧିକ ହୋଇଯାଏ ମଣିଷ ଖୁସି ଥାଇ ବି ଖୁସି ଜାହିର କରି ପାରେନା। ସତ କହିବାକୁ ଗଲେ, ମୋ ଜୀବନର ପହିଲି ରୋଜଗାର ଏତେ ଆଶାନୁରୂପ ନ ଥିଲା ଯେ, ସେଥିରେ ମୁଁ ପୁଲକିତ ହୋଇ ପାରିଥାନ୍ତି। ସେ ସମୟ ସବୁରେ ବାପାଙ୍କୁ କିମ୍ବା ବୋଉର ହାତକୁ କିଛି ଅର୍ଥ ବଢାଇ ଦେବାର ସତ୍ ସାହସ ମୋର ନ ଥିଲା। ତେବେ ପ୍ରତିଥର ଘରକୁ ଆସିଲେ ମଟନ୍ ଆଣିବା, ବାପା ବୋଉଙ୍କ ପାଇଁ ଔଷଧ କିଣିବା, ବାପାଙ୍କ ପାଇଁ ଶାର୍ଟ କି ଚପଲ କିଣିବା, ବୋଉ ପାଇଁ ସାଲ କି ଶାଢ଼ି କିଣିବା ଇତ୍ୟାଦି କାମ କରୁଥିଲି। ସେଥିରେ ବାପା କେତେ ଖୁସି ହେଉଥିଲେ ଜାଣେନା। ଆଖିଦୃଶିଆ ଦରମା ପାଇଲା ବେଳକୁ ୨୦୦୧। ସେତେବେଳକୁ ବୋଉଠୁ ଶୁଣିଲି, ଘର ତିଆରି କାମ ପାଇଁ ବାପା କରିଥିବା ପଚାଶ ହଜାର ଟଙ୍କାର ଗୋଟେ ଲୋନ୍ ଅଛି। କିଛି ମାସ ପରେ ବାପାଙ୍କ ସହିତ ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍ ଯାଇ ମୋ ପଇସାରେ ସେ ଲୋନ୍ କ୍ଲିଅର କରିଥିଲି। ସେଦିନ ଘରକୁ ଫେରିଲା ପରେ ବାପାଙ୍କ ମୁହଁର ଖୁସିର ଚମକ ମୋତେ ପୁଲକିତ କରିଥିଲା ନିଶ୍ଚୟ।
ଉଭୟ ଓଡ଼ିଆ ଇଂଲିଶ ଭାଷାରେ ପ୍ରବଳ ଦକ୍ଷତା ରଖିଥିବା ମୋ ବାପା ସୁନ୍ଦର ଜଣାଣ, ଭଜନ ଓ କବିତା ଲେଖୁଥିଲେ। ହୁଏତ ସେଇ ସୂତ୍ରରୁ କଲେଜ ପଢିବାବେଳୁ ମୋ ଭିତରେ କବି ସତ୍ତାଟିଏ ଅଙ୍କୁରିତ ହୋଇ ସାରିଥିଲା। ବିନା କିଛି ଆଶା ରଖି କବିତା ଲେଖୁଥିବା ବିଚରା କବିଟିଏ ପାଇଁ ପ୍ରକାଶିତ ଲେଖାଟିଏ ସାହିତି୍ୟକ ଜୀବନର ରୋଜଗାର ବୋଲି ମୁଁ କହିପାରେ। ସେ ଦୃଷ୍ଟିରୁ ୧୯୯୪ ମସିହାରେ ଏକ ଦୈନିକ ଖବରକାଗଜରେ ମୋର ପ୍ରଥମ କବିତା ପ୍ରକାଶିତ ହେବାର ଘଟଣା ଏବେ ବି ମୋତେ ପୁଲକିତ କରେ ।