ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି।ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ପରିଗଣନାକାରୀ ଏବଂ ସୁପରଭାଇଜରଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସଂଯୋଜନା କରିଥିଲେ। ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା କାର୍ଯ୍ୟକ୍ରମ ଶୁଭାରମ୍ଭରେ ଉପସ୍ଥିତ ରହି ସମସ୍ତ ପରିଗଣନାକାରୀମାନଙ୍କୁ ଉତ୍ସାହିତ କରିବା ସହ ସଠିକ୍ ରୂପେ ଗଣନାକାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆକାଉଣ୍ଟାଣ୍ଟ ମୃତ୍ୟୁଞ୍ଜୟ ଦାସ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଦିଗପହଣ୍ଡି ସହରାଞ୍ଚଳର ସମୁଦାୟ ୧୧ଟି ୱାର୍ଡ ଅଧୀନ ବିଭିନ୍ନ ସାହି ବସ୍ତିରେ ଚିହ୍ନଟ କରାଯାଇଥିବା ସମୁଦାୟ ୨୩ଟି ଗୃହ ଗଣନା ବ୍ଲକରେ ବିଭକ୍ତ କରାଯାଇଛି। ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧ରୁ ୧୫ ଯାଏ ଗଣନା ଆରମ୍ଭ ହେବାକୁ ଯାଉଥିବା ବେଳେ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ସହରାଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ନିମନ୍ତେ କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଶିକ୍ଷଣ ଶିବିରରେ ଆଲୋଚନା କରାଯାଇଥିଲା । ଏହି ଗୃହ ତାଲିକା ଏବଂ ଗୃହ ଗଣନା ନିମନ୍ତେ ୨୬ ଜଣ ପରିଗଣନାକାରୀ ଏବଂ ୫ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ଏହି ତାଲିମ ଶିବିର ଆସନ୍ତା ବୁଧବାର ଯାଏ ଚାଲୁ ରହିବ ଏବଂ ପ୍ରତ୍ୟେକ ଟିମ ସଦସ୍ୟା ସଦସ୍ୟଙ୍କୁ ୩ ଦିନ ତାଲିମ ପ୍ରଦାନ କରାଯିବ ବୋଲି ଜଣାପଡିଛି। ପରିଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ସହରର ସମସ୍ତ ଜନ ସଧାରଣଙ୍କୁ ଏହି ଜାତୀୟ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି।

