ନୂଆପଡ଼ା,୨୧ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରବି ଋତୁ ପାଇଁ ସାରାବଙ୍ଗ ମଣ୍ଡିରୁ ମଙ୍ଗଳବାର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି ା ଜିଲାପାଳ ମଧୁସୂଦନ ଦାଶ ମଣ୍ଡିର ଶୁଭ ଉଦ୍ଘାଟନ କରିଛନ୍ତି। ପ୍ରଥମ ଦିନରେ ୩ ଚାଷୀଙ୍କଠାରୁ ୨୫୦ କୁଇଣ୍ଟାଲ ୮୮ କିଲୋଗ୍ରାମ ଧାନ ମିଲର୍ସ ଉଠାଣ କରିଛନ୍ତି ା ଏହି ଅବସରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଆର୍ସିଏସ୍ ଶିବ ପ୍ରସାଦ ସ୍ବାଇଁ, ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲିପ ନିର୍ମଲକର, ମିଶନ ଶକ୍ତି ପରିଚାଳକ ସୁନୀଲ କୁମାର ମଲ୍ଲିକ, ସ୍ଥାନୀୟ ସରପଞ୍ଚ ରଥବାଇ ପଟେଲ,ସମିତି ସଭ୍ୟା ଜାଗୃତି ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଜିଲାରେ ରବି ଋତୁରେ ୩ ଲକ୍ଷ ୮୯ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୧ ପ୍ରାଥମିକ କୃଷି ସମବାୟ ସମିତି ଓ ୬ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୨୪ ମିଲର୍ସ ଦ୍ୱାରା ଧାନ କ୍ରୟ କରାଯିବ। ମଣ୍ଡି ଆରମ୍ଭର ପ୍ରଥମ ଦିନରେ ସାରାବଙ୍ଗର ୩ ଚାଷୀ ପିଅନ ରାଉତ ୧୩୦ କୁଇଣ୍ଟାଲ, ଗାୟତ୍ରୀ ରେଡ୍ଡୀଙ୍କ ୫୯ କୁଇଣ୍ଟାଲ ୨୮ କିଲୋଗ୍ରାମ ଓ ପୁନିଚନ ରାଉତଙ୍କ ୬୧ କୁଇଣ୍ଟାଲ ୬୦ କିଲୋଗ୍ରାମ ଧାନ ସଂଗ୍ରହ କରାଯାଇଥିଲା। କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩ ଶହ ଟଙ୍କା ଥିବାବେଳେ ୮ ଶହ ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ବୋନସ ପ୍ରଦାନ କରାଯିବ। ଚାଷୀମାନଙ୍କୁ ସଚେତନ କରିବା ପାଇଁ ଜିଲାର ୫ ବ୍ଲକରେ ୫ ପ୍ରଚାର ରଥ ବୁଲୁଛି। ଜିଲାରେ ରବି ଧାନ ସଂଗ୍ରହ କିଭଳି ସୁରୁଖୁରୁରେ ହୋଇପାରିବ ସେ ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ।


