୧୪ ବର୍ଷ ହେଲା ପ୍ରଥମ ଆଉଟଲେଟ୍‌ ଭାଙ୍ଗିଛି: ପିଲାସାଲୁଙ୍କି କେନାଲର ମରାମତି ପାଇଁ ବିଭାଗର ନଜର ନାହିଁ

ଖଜୁରୀପଡ଼ା,୨୮ା୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ୩୨୩୩ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପିଲାସାଲୁଙ୍କି ଜଳ ଭଣ୍ଡାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ଲେଫ୍ଟ କେନାଲ ୨୦.୦୫ କିମି ପର୍ଯ୍ୟନ୍ତ ଲମ୍ବା ଥିବା ବେଳେ ରାଇଟ କେନାଲ ୧୫.୭୫ କିମି ପର୍ଯ୍ୟନ୍ତ ଲମ୍ବା ରହିଛି। ଏହି ଦୁଇଟି ପ୍ରମୁଖ କେନାଲ ମାଧ୍ୟମରେ ଚାଷୀର ଚାଷ ଜମିକୁ ପାଣି ଯୋଗାଇ ଦିଆଯାଏ। ଯାହା ଦ୍ୱାରା ରବି ଏବଂ ଖରିଫ ଋତୁରେ ଫସଲ ଉତ୍ପାଦନ ହୁଏ। କିନ୍ତୁ ଆଜକୁ ୧୪ ବର୍ଷ ବିତିଗଲାଣି ପିଲା ସାଲୁଙ୍କି ଡ୍ୟାମର ପାଦ ଦେଶରେ ଥିବା ରାଇଟ କେନାଲର ପ୍ରଥମ ଆଉଟଲେଟ ଭାଙ୍ଗି ଯାଇଛି, ଯାହା ମରାମତି କରିବାର ନାଁ ଧରୁ ନାହିଁ ଜଳ ସେଚନ ବିଭାଗ। ଫଳରେ ଚାଷୀମାନେ ଚାଷ ଜମିକୁ ପାଣି ନେବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘ ୧୪ ବର୍ଷ ଧରି ବିଭାଗୀୟ ସହକାରୀ ଯନ୍ତ୍ରୀ, ଏସଡିଓ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଚାଷୀମାନେ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଫଳ ଶୂନ। ଏହି ସମସ୍ୟାର ସମାଧାନ କାହିଁକି କରାଯାଉ ନାହିଁ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି? ବର୍ଷ ବର୍ଷ ଧରି ଆଉଟ୍‌ ଲେଟ ମରାମତି ନ ହେଉଥିବା ଯୋଗୁଁ ଶେଷରେ ଚାଷୀମାନେ ଚାନ୍ଦା କରି ପାଇପ କିଣି କଷ୍ଟେ ମଷ୍ଟେ ଚାଷ ଜମିକୁ ପାଣି ନେଉଛନ୍ତି ବୋଲି କହିଛନ୍ତି ଚାଷୀ ଶୁକେ ମହାନନ୍ଦ, ଭାବିନ୍ଦ୍ର ନାୟକ, ଚୈତନ୍ୟ କହଁର। ଦାୟିତ୍ୱରେ ଥିବା ବାବୁମାନଙ୍କ ଅଣଦେଖା ଏବଂ ଖାମ ଖିଆଲ ନୀତି ଯୋଗୁଁ ଚାଷୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପିଲାସାଲୁଙ୍କି ଡ୍ୟାମର ରାଇଟ କେନାଲର ପ୍ରଥମ ଆଉଟ୍‌ ଲେଟ ନିର୍ମାଣ କରିବା ପାଇଁ ଚାଷୀକୁଳ ସରକାର ଠାରେ ଦାବି କରିଛନ୍ତି। ଆମ୍ଭେ ଏ ନେଇ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଆମେ ଯାଇ ତାକୁ ଦେଖିବୁ ଏବଂ ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି।