ଜଙ୍ଗଲରେ ନିଆଁ, ରାସ୍ତାରେ ମୟୂର

ବୁଗୁଡ଼ା,୧୫।୩(ଡି.ଏନ୍‌.ଏ.): ସମ୍ପ୍ରତି ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ଯୋଗୁଁ ରାସ୍ତାରେ ମୟୂରମାନେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଅଗ୍ନି ନିର୍ବାପନରେ ବିଫଳତା ଯୋଗୁଁ ସ୍ଥାନୀୟ ବନ ବିଭାଗ ଅଡୁଆରେ ପଡିଛି। ବନ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଅନେକଗୁଡିଏ ବନ ସୁରକ୍ଷା ସମିତି ଗଠନ କରାଯାଇଥିଲେ ହେଁ ଏ ଅସମୟରେ ସେଗୁଡିକର ଭୂମିକା ଲୋକଲୋଚନକୁ ଆସୁନାହିଁ। ବନ୍ୟଜନ୍ତୁ ଶିକାର, ଚୋରା କାଠ ଓ ଅଙ୍ଗାର ପାଇଁ ଦୁର୍ବୃତ୍ତମାନେ ଜଙ୍ଗଲ ଦହନ ଭଳି ଅମାନବୀୟ କାଣ୍ଡ ଘଟାଉଥିବା ନେଇ ସର୍ବତ୍ର ଆଲୋଚନା ହେଉଥିଲେ ହେଁ ସେହି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରୁନାହିଁ। ଏହି ମାନବକୃତ ବନାଗ୍ନି ପାଇଁ ଏକ ପକ୍ଷରେ ଆବଶ୍ୟକୀୟ ଜନ ସଚେତନତାର ଅଭାବକୁ ସାଧାରଣରେ ଦାୟୀ କରାଯାଉଥିବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ଗଣମାଧ୍ୟମର ଦୃଷ୍ଟି ଆଢୁଆଳରେ ଖାଦ୍ୟପେୟକୁ ପ୍ରାଧାନ୍ୟ ଦେଇ କାମଚଳା ବନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜକ ବନ ବିଭାଗକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାୟୀ କରାଯାଉଛି। ସାମାଜିକ ବନୀକରଣ ଓ ବନ୍ୟପ୍ରାଣୀ ସୁରକ୍ଷାର ସଚେତନତା ପାଇଁ ଅଜସ୍ର ସରକାରୀ ଅର୍ଥ ବ୍ୟୟ ହେଉଥିଲେ ସୁଦ୍ଧା ସ୍ଥାନୀୟ ବନ ବିଭାଗର ନିଷ୍ଫଳ ଉଦ୍ୟମ ଯୋଗୁଁ ତାହା ବ୍ୟର୍ଥ ହୋଇଛି।