ଡେଲି ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଊର୍ଦ୍ଧ୍ୱ ଦୋକାନ

କେନ୍ଦୁଝର,୩ା୪(ସ୍ବ.ପ୍ର.): କେନ୍ଦୁଝର ସହର ଡେଲି ମାର୍କେଟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଯେ, ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଆୟତ୍ତ କରିବାରେ ଅସମର୍ଥ ହୋଇଛନ୍ତି। ଲୋକେ ନିକଟସ୍ଥ କୂଅ ପୋଖରୀରୁ ପାଣି ସଂଗ୍ରହ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିଶମ ବିଭାଗରର ପାଣିରେ ନିଆଁ ନ ଲିଭିବାରୁ ସାଧାରଣ ଲୋକଙ୍କ ଉପଯୋଗୀ ପାଣିଟାଙ୍କି ସହଯୋଗ କରିଥିଲା। ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। କେନ୍ଦୁଝର ପୋଲିସ ବିଭାଗର ଏସ୍‌ଡିପିଓଙ୍କ ଉପସ୍ଥିତିରେ ପୋଲିସ ସ୍ଥାନୀୟ ଯୁବକଙ୍କ ଦ୍ୱାରା ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି। ଦୀର୍ଘ ୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଭାବରେ ଲିଭିନାହିଁ।