କୋକସରା,୧୦।୪, (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ ନିଆଁ ଲାଗି ଜଙ୍ଗଲ ସାରା ବ୍ୟାପି ଯାଇଥିଲା। ଏହାଦେଖି ସ୍ଥାନୀୟ ଯୁବକ ସଙ୍ଘ ପକ୍ଷରୁ ଆମପାଣି ଫରେଷ୍ଟ ସମେତ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଖବର ମିଳିବା ପରେ କୋକସରା ବ୍ଲକ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ଜଙ୍ଗଲରେ ଲାଗିଥିବା ନିଆଁକୁ ସ୍ଥାନୀୟ ଯୁବକ ସଙ୍ଘ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଆୟତ୍ତ କରିଥିଲେ। ଅନ୍ୟପଟେ ଜଙ୍ଗଲ ତଳେ ଥିବା ଚାଷଜମିରେ ଧାନ ଚାଷ ମଧ୍ୟ ନଷ୍ଟ ହୋଇଥିବା ସ୍ଥାନୀୟ ଚାଷୀ ନୀଳମାଧବ ସାହୁ ଅଭିଯୋଗ କରିଛନ୍ତି।ତେବେ ଆମପାଣି ଫରେଷ୍ଟ କର୍ମଚାରୀଙ୍କୁ ଖବର ଦେଇଥିଲେ ସୁଦ୍ଧା ଦୀର୍ଘ ସମୟ ପରେ ମଧ୍ୟ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିଲେ। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଯୁବକ ସଙ୍ଘ ନିଆଁକୁ ଆୟତ୍ତ କରିବା ପରେ ପହଞ୍ଚିଥିବା ସୂଚନା ମିଳିଛି। ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲର ସୁରକ୍ଷା ଦାୟିତ୍ୱରେ ଅବହେଳା କରୁଥିବା ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ଅବହେଳା ଯୋଗୁଁ ଜଙ୍ଗଲ ନଷ୍ଟ ହେଉଥିବା ନେଇ ସ୍ଥାନୀୟ କାଉଡୋଳା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି।ଏନେଇ ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।


