ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି ଭିତରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଭିତରେ ସୂତା ସହ ଜ୍ୱଳନଶୀଳ ସାମଗ୍ରୀ ପ୍ରଚୁର ପରିମାଣରେ ଗଚ୍ଛିତ ରହିଥିବାରୁ ନିଆଁ ମୁହୂର୍ତ୍ତକ ଭିତରେ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଆଖପାଖ ଲୋକେ ଭୟଭୀତ ହୋଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଛି। ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ପୋଲିସ ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଫ୍ୟାକ୍ଟ୍ରିରେ ସୁରକ୍ଷା ବ୍ୟବସ୍ଥା କିପରି ଥିଲା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରପାତି କାର୍ଯ୍ୟକ୍ଷମ ଥିଲା କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।

