ବିନା ରସିଦ୍‌ରେ ଜରିମାନା

ଅନୁଗୋଳ ଅଫିସ୍‌, ୧୨ା୭: ଅନୁଗୋଳ ତହସିଲ ଅଧୀନ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢିବାରେ ଲାଗିଛି। ଏଥିରେ ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଜୋର ଧରିଛି। ଏପରିକି ମାଫିଆଙ୍କ ଗାଡି ଯାଞ୍ଚ ବେଳେ ଜରିମାନା ଆଦାୟ କରିବାକୁ ଯାଇ ଟଙ୍କା ନେଉଥିଲେ ମଧ୍ୟ ଅଧିକାରୀ ଜଣକ ଏ ବାବଦରେ ରସିଦ୍‌ ଦେଉ ନ ଥିବା ଅଭିଯୋଗ ଆସିଛି।
ଅନୁଗୋଳ ତହସିଲ ଅଧୀନରେ ଅନୁଗୋଳ ସଦର, ପଞ୍ଚମହଲା, କୁମୁରୁସିଂହା, ଚମ୍ପତ୍ତିମୁଣ୍ଡା, ବେନ୍ତପୁର, ଖିଣ୍ଡା, ପୁରୁଣାକୋଟ, ଟାଇଁସି ଓ ବନ୍ତଳା ଆରଆଇ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟଗୁଡିକରେ ଅଧିକାଂଶ କର୍ମଚାରୀ ମହିଳା ହୋଇଥିବାରୁ ରାତିରେ ହେଉଥିବା ଚୋରାଚାଲାଣ ରୋକିବା ଦାୟିତ୍ୱ ନେଇ ସମ୍ପୃକ୍ତ ଅଧିକାରୀ ଏହାର ଫାଇଦା ନେଉଥିବା ଅଭିଯୋଗ ଆସିଛି। ଯାଞ୍ଚବେଳେ ବିଭିନ୍ନ ଗାଡ଼ିରେ ଖଣିଜ ଦ୍ରବ୍ୟ ଚାଲାଣ ହେଉଥିବା ଧରାପଡିଲେ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ ରହିଛି। ହେଲେ ଆଦାୟ ଜରିମାନା ବାବଦ ରସିଦ୍‌ ପ୍ରଦାନ କରାଯାଉନାହିଁ। କିଛି ଦିନ ତଳେ ଅଧିକାରୀ ଜଣକ ୧୫ଟି ଗାଡ଼ି ଧରିଥିଲେ ମଧ୍ୟ ସଦର ଆର୍‌ଆଇ କାର୍ଯ୍ୟାଳୟରୁ ମାତ୍ର ୩ଟି ଗାଡ଼ିକୁ ରସିଦ୍‌ ପ୍ରଦାନ କରାଯାଇଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ପଚାରିବାରେ ଜରିମାନା ଆଦାୟ ବାବଦରେ କୌଣସି ମତାମତ ଦେଇ ନ ଥିଲେ। ତେବେ ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା ଅନୁଗୋଳ ତହସିଲଦାର ନେହେରୁ ମାଝି କହିଛନ୍ତି। ଏପରି ହୋଇଥିଲେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କୁହନ୍ତି, ଏପରି ଅଭିଯୋଗ ତାଙ୍କ ନିକଟକୁ ଆସିଛି। ଘଟଣାର ଅନୁଧ୍ୟାନ କରାଯିବ।