ବିପିନ୍‌ ରାଓ୍ବତଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ

କୁନ୍ନୁର,୮ା୧୨: ତାମିଲନାଡୁର କୁନ୍ନୁର ନିକଟରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ ଥିଲେ। ତାଙ୍କ ସହ ସ୍ତ୍ରୀ ମଧୁଲିକାଙ୍କ ସମେତ ଆଉ ୧୪ ଜଣ ମଧ୍ୟ ହେଲିକପ୍ଟରରେ ଥିଲେ।

ସୂଚନାନୁଯାୟୀ, ସିଡିଏସ୍‌ ବିପନ ରାଓ୍ବତ  ସ୍ତ୍ରୀଙ୍କ ସହ ଓ୍ବେଲିଙ୍ଗଟନ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କୁନ୍ନୁରର ଏକ ଘଞ୍ଚ ଜଙ୍ଗଲ ଉପରେ ଏହି ଦୁର୍ଘଟଣା ଘଟିଥିଲା।

ଲେଫ୍ଟ ଜେନେରାଲ ଲକ୍ଷ୍ମଣ ସିଂ ରାଓ୍ବତଙ୍କ ପୁଅ ବିପିନ ଉତ୍ତରାଖଣ୍ଡର ପୌଡି ଗରଓ୍ବାଲରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାରର କେତେ ପିଢ଼ି ଧରି ସେନାବାହିନୀରେ ଚାକିରି କରିଆସୁଛନ୍ତି। ବିପିନଙ୍କ ସ୍ତ୍ରୀ ମଧୁଲିକା ମଧ୍ୟ ସେନା କଲ୍ୟାଣ ସହିତ ଜଡ଼ିତ। ସେ ଆର୍ମି ମହିଳା କଲ୍ୟାଣ ସଂଘର ଅଧ୍ୟକ୍ଷ ଅଛନ୍ତି। ବିପିନଙ୍କ ଦୁଇ ଝିଅ ଅଛନ୍ତି। ଗୋଟିଏ ଝିଅଙ୍କ ନାମ କୃତିକା ରାଓ୍ବତ।

ବିପିନ ସେଣ୍ଟ ଏଡୱାର୍ଡ ସ୍କୁଲ, ଶିମଲା ଏବଂ ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଖଡକସଲାର ଛାତ୍ର ଥିଲେ।

ସିଡିଏସ୍‌ ହେବା ପୂର୍ବରୁ ବିପିନ ସେନା କର୍ମଚାରୀଙ୍କ ୨୭ତମ ମୁଖ୍ୟ ଥିଲେ। ସେନା ମୁଖ୍ୟ ହେବା ପୂର୍ବରୁ ତାଙ୍କୁ ୨୦୧୬ ସେପ୍ଟେମ୍ବର ୧ରେ ସେନାର ଡେପୁଟି ଚିଫ୍‌ ଭାବରେ ନିଯୁକ୍ତ ହୋଇଥିଲେ। ୩୧ ଡିସେମ୍ବର ୨୦୧୯ରେ ବିପିନଙ୍କୁ ସିଡିଏସ୍‌ ଭାବେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ।

Share