Categories: ଖେଳ

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରାଙ୍କ କରୋନା ରିପୋର୍ଟ କ’ଣ ବାହାରିଲା ଜାଣନ୍ତୁ…

ନୂଆଦିଲ୍ଲୀ,୬।୮: ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ସେ ପଜିଟିଭ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି। ଟେଷ୍ଟରେ ମୋର ନେଗେଟିଭ୍‌ ବାହାରିଛି ବୋଲି ଲାରା ସ୍ପଷ୍ଟ କରିଛନ୍ତି। ଲାରା କରୋନା ପଜିଟିଭ୍‌ ବୋଲି ଗୁଜବ ସୃଷ୍ଟି ହୋଇଥିଲା। ତେବେ ସେ ଏହା ସତ ନୁହେଁ ବୋଲି ଲାରା କହିଛନ୍ତି। କୋଭିଡ୍‌-୧୯ ମହାମାରୀର ବାହାନ କରି ଲୋକେ ଏଭଳି ନକାରାତ୍ମକ ଖବର ପ୍ରଚାର କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ତେବେ ଲାରା ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏ ନେଇ ସବୁ କିଛି ସ୍ପଷ୍ଟ କରିଛନ୍ତି। ମହାମାରୀର ପ୍ରକୋପ ସାରା ବିଶ୍ୱରେ ଜାରି ରହିଥିବା ବେଳେ ସମସ୍ତେ ସୁସ୍ଥ ଓ ନିରୋଗ ରୁହନ୍ତୁ ବୋଲି ସେ କାମନା କରିଛନ୍ତି। କିନ୍ତୁ ଏଭଳି ଗୁଜବ ସୃଷ୍ଟି କରିବାରୁ ସମସ୍ତେ ବିରତ ରହିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଗତ ୨୪ ଘଣ୍ଟରେ ସୋସିଆଲ ମିଡିଆରେ ବହୁ ଲୋକ ଲାରା କରୋନ ପଜିଟିଭ୍‌ ବୋଲି ଖବର ପ୍ରଚାର କରିଥିଲେ। ଉଲ୍ଲେଖଥାଉ କି, ଲାରା ୨୦୦୭ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୫୧ ବର୍ଷୀୟ ଲାରା ୫୩ଟି ଅନ୍ତର୍ଜାତୀୟ ଶତକ ଓ ୨୨, ୩୫୮ ରନ ସହ କ୍ୟାରିୟର ଶେଷ କରିଥିଲେ। ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୪୦୦ ରନ ସଂଗ୍ରହ କରି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ। ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ସେ ଏହି ସଫଳତା ହାସଲ କରିଥିଲେ। ସେହିପରି ସେ ପ୍ରଥମଶ୍ରେଣୀ କ୍ରିକେଟରେ ମଧ୍ୟ ୫୦୧ ରନ ସଂଗ୍ରହ କରି ବ୍ୟକ୍ତିଗତ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ସ୍ଥାପନ କରିଥିଲେ। ବାମହାତୀ ଲାରା ଓ୍ବେଷ୍ଟଇଣ୍ଡିଜ ତରଫରୁ ପ୍ରତିନିଧିତ୍ୱ କରି ୧୩୧ ଟେଷ୍ଟ ଓ ୨୯୯ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୧୧, ୯୫୩ ଓ ଦିନିକିଆରେ ୧୦,୪୦୫ ରନ ସଂଗ୍ରହ କରିଥିଲେ।

Share