ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ: ମିଳୁନି ସରକାରୀ ସହାୟତା

ରିଆମାଳ ୨୦।୫( ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା (ଫୁଲସରନାଳୀ) ଗ୍ରାମର ଗିରିଧାରି କିସାନ (୫୦) ଆଜିକୁ ୩ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି। ବର୍ତ୍ତମାନ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହାଁନ୍ତି। ତାଙ୍କର ଡାହାଣ ଅଙ୍ଗ (ହାତ ଓ ଗୋଡ଼) ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି। ପୂର୍ବରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ସେ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ପକ୍ଷାଘାତ ରୋଗରେ ପୀଡ଼ିତ ପରେ ବର୍ତ୍ତମାନ ପରିବାର ଚଳିବାରେ ବହୁ ବାଧାବିଘ୍ନ ସୃଷ୍ଟି ହୋଇଛି। ତାଙ୍କର ସ୍ତ୍ରୀ ଜେମା କିସାନ ବର୍ତ୍ତମାନ ଘରର ବୋଝ ମୁଣ୍ଡାଇଛନ୍ତି। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଦୁଇ ଝିଅ ବିବାହ କରି ସାରିଛନ୍ତି। ସରକାରରୁ ଜଣ ପିଛା ୫ କେଜି ହିସାବରେ ୪ ଜଣଙ୍କୁ ୨୦ କେଜି ଚାଉଳ ପାଉଛନ୍ତି। ସ୍ବାମୀଙ୍କର ବିକଳାଙ୍ଗ ଭତ୍ତା ପାଇଁ ସ୍ତ୍ରୀ ଜେମା ବ୍ଲକ ଓ ଜିଲା ପ୍ରଶାସନ ପ୍ରଶାସନ ନିକଟରେ ବହୁବାର ଆପତ୍ତି ଜଣାଇବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି। ପକ୍ଷାଘାତ ରୋଗର ଚିକିତ୍ସା ପାଇଁ ଗିରିଧାରୀ ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି।ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସ୍ଥାନୀୟ ପ୍ରଶାସନର ବୈମାତୃକ ମନୋଭାବ ଗିରିଧାରୀଙ୍କ ପରିବାରକୁ ଅସହାୟ କରିପକାଇଛି I ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଅନୁରୋଧ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share