ଶେଷରେ ଗିରଫ ହେଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ତେବେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବା ପରେ ବାଣପୁର କୋର୍ଟକୁ ନିଆଯିବ। ସେଠାରୁ ପୋଲିସ ତାଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଥିବା ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଇଥିଲେ ଚିଲିକା ବିଧାୟକ। ପୂର୍ବରୁ ତାଙ୍କୁ ପୋଲିସ ବାରଣ କରିଥିଲେ ହେଁ ସେ ଶୁଣି ନ ଥିଲେ। ଏପରିକି ଭିଡ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏଥିରେ ୧୦ଜଣ ପୋଲିସ ଏବଂ ୨ ଖବରଦାତା ଆହତ ହୋଇଥିଲେ। ସେଥିରୁ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଅପରପକ୍ଷେ ଏହି ଆକ୍ରମଣରେ ଲୋକଙ୍କ ପ୍ରତିଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ସେ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ପୋଲିସ ଡ୍ୟୁଟିରେ ବାଧା, ଜନତାଙ୍କୁ ଗୁରୁତର ଆହତ କରିବା, କାରକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଦଫା ଲାଗିଥିବା ନେଇ ଆଇଜି ଭୋଳ କହିଥିଲେ।