Categories: ଖେଳ

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ଭାରତର ଦ୍ୱିତୀୟ ପରାଜୟ

ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଭାରତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଫଳରେ ଘରୋଇ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଶନିବାର ଚାଇନାଠାରୁ ୧-୨ରେ ହାରିଥିବା ଭାରତ ରବିବାର ବିଶ୍ୱର ନମ୍ବର ଓ୍ବାନ ଦଳ ନେଦରଲାଣ୍ଡ୍ସ ନିକଟରୁ ୧-୩ ଗୋଲରେ ପରାଜିତ ହୋଇଛି।

ମ୍ୟାଚର ପ୍ରଥମ କ୍ୱାର୍ଟରରୁ ଆକ୍ରମଣାତ୍ମକ ଖେଳିଥିଲା ନେଦରଲାଣ୍ଡ୍ସ। ୩ୟ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା ଏବଂ ଏହାକୁ ଗୋଲରେ ପରିଣତ କରିଥିଲେ ଜାନସେନ ୟିବି। ୯ମ ମିନିଟରେ ଓଡ଼ିଶାର ସୁନେଲିତା ଟପ୍ପୋଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ ନଭନିତ କୌର। ୧୦ମ ମିନିଟରେ ଭାରତ ଓ ୧୪ଶ ମିନିଟରେ ନେଦରଲାଣ୍ଡ୍ସ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୨୦ତମ ମିନିଟରେ ଏକ ଗୋଲ ଦେଇ ନେଦରଲାଣ୍ଡ୍ସକୁ ପୁଣି ଅଗ୍ରଣୀ କରିଥିଲେ ଭାନ୍‌ ଡର୍‌ ଏଲିଷ୍ଟ ଫେ।

ଭାରତ ୨୧ ଓ ୨୨ତମ ମିନିଟରେ ଲଗାତର ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା। ୨୩ତମ ମିନିଟରେ ନେଦରଲାଣ୍ଡ୍ସର କୋଲେନ ସାନିଙ୍କୁ ଗ୍ରୀନ୍‌ କାର୍ଡ ମିଳିଥିଲା। ସେହିପରି ବିପଜ୍ଜନକ ପ୍ରଦର୍ଶନ ପାଇଁ ୨୭ତମ ମିନିଟରେ ଭାରତର ଦୀପିକା ଓ ନେଦରଲାଣ୍ଡ୍ସର ଦ୍ରୁମଣ୍ଡ ଇଭାଙ୍କୁ ଗ୍ରୀନ୍‌ କାର୍ଡ ପ୍ରଦର୍ଶନ କରାଯାଇଥିଲା। ପ୍ରଥମାର୍ଦ୍ଧରେ ୨-୧ରେ ଅଗ୍ରଣୀ ରହିଥିବା ନେଦରଲାଣ୍ଡ୍ସ ତୃତୀୟ କ୍ୱାର୍ଟରରେ ଅର୍ଥାତ୍‌ ୩୪ତମ ମିନିଟରେ ଜାନସେନ ୟିବିଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ବଳରେ ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇଥିଲା। ଅନ୍ତିମ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ଭାରତ ପର୍ଯ୍ୟାପ୍ତ ସୁଯୋଗ ପାଇଥିଲା। ମାତ୍ର ୪୭, ୪୮ ଓ ୫୩ତମ ମିନିଟରେ ମିଳିଥିବା ପେନାଲ୍ଡି କର୍ନରକୁ ଗୋଲରେ ପରିଣତ କରି ନ ପାରିବା ଦଳପାଇଁ ମହଙ୍ଗା ପଡ଼ିଥିଲା। ୫୦ତମ ମିନିଟରେ ନେଦରଲାଣ୍ଡ୍ସର ସାଣ୍ଡର୍ସ ପେନ୍‌ ୟେଲୋ କାର୍ଡ ପାଇଥିଲେ। କଳିଙ୍ଗରେ ନେଦରଲାଣ୍ଡ୍ସର ଏହାଥିଲା କ୍ରମାଗତ ଦ୍ୱିତୀୟ ବିଜୟ। ଶନିବାର ଏହି ଦଳ ଆମେରିକାକୁ ୭-୦ ଗୋଲରେ ପରାସ୍ତ କରିଥିଲା। ଓଭରଅଲ୍‌ ୨୦୨୩-୨୪ ସିଜନରେ ଏହାଥିଲା ଦଳର ଲଗାତର ୬ଷ୍ଠ ବିଜୟ। ଫଳରେ ଏହି ଦଳ ୧୮ ପଏଣ୍ଟ ସହ ଟେବୁଲର ଶୀର୍ଷରେ ନିଜ ସ୍ଥାନକୁ ମଜଭୁତ କରିଛି।

Share