ଭୁବନେଶ୍ୱର, ୩୦ା୧ : ହକି ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ସଭାପତି ତାୟାବ ଇକ୍ରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ଙ୍କୁ ‘ଏଫ୍ଆଇଏଚ୍ ପ୍ରେସିଡେନ୍ସ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଇକ୍ରାମ କହିଛନ୍ତି, ଗତ ଦୁଇ ସପ୍ତାହରେ ଓଡ଼ିଶାରେ ଆମେ ଯାହା ଦେଖିଛୁ ବାସ୍ତବିକ ଅଭୁତପୂର୍ବ। ଅତ୍ୟାଧୁନିକ ସୁବିଧା ନୁହେଁ, ହକି ପାଇଁ ଓଡ଼ିଶାବାସୀଙ୍କ ଇତ୍ସାହ ଉଦ୍ଦୀପନା ଆମକୁ ଅଭୀଭୂତ କରିଛି। କେବଳ ଭାରତୀୟ ଦଳ ନୁହେଁ, ଅନ୍ୟ ଦଳଗୁଡ଼ିକ ପ୍ରତି ସେମାନଙ୍କର ଭଲପାଇବା ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ର ସଫଳ ଆୟୋଜନ ପଛରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ୍ଙ୍କ ପ୍ରମୁଖ ଭୂମିକା ରହିଛି।
ଓଡ଼ିଶା ରାଜ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ଯାଇ ପାଣ୍ଡିଆନଙ୍କୁ ଏଫ୍ଆଇଏଚ୍ ସଭାପତି ପୁରସ୍କାର ପ୍ରଦାନ କରି ନିଜକୁ ଧନ୍ୟ ମନେକରିଛନ୍ତି। ସମ୍ମାନ୍ଜନକ ପୁରସ୍କାର ପାଇବା ପରେ ପାଣ୍ଡିଆନ କହିଥିଲେ, ଏଫ୍ଆଇଏଚ୍ ସଭାପତି ପୁରସ୍କାର ଗ୍ରହଣ କରି ମୁଁ ନିଜକୁ ଗୌରବାନ୍ବିତ ମନେକରୁଛି। ବିଶ୍ୱକପ୍ର ସଫଳ ଆୟୋଜନ ପଛରେ ଟିମ୍ ଓଡ଼ିଶାର ବଡ଼ ଭୂମିକା ରହିଛି। ସେ କେବଳ ଏହାର ପ୍ରତିନିଧି ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ମାତ୍ର। ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ। ଏହି ପରିପ୍ରେକ୍ଷୀରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଥିଲେ, ଗତ ଦୁଇ ଦଶନ୍ଧି ହେଲା କ୍ରୀଡ଼ାରେ ବିଶେଷ ଭାବେ ହକି କ୍ଷେତ୍ରରେ ପାଣ୍ଡିଆନ୍ଙ୍କ ଅବଦାନ ସେ ଦେଖିଛନ୍ତି। କ୍ରୀଡ଼ାବିତ୍ମାନଙ୍କୁ କିପରି ଉପଯୁକ୍ତ ସୁବିଧା ସୁଯୋଗ ଦିଆଯାଇପାରିବ ସେଥିପ୍ରତି ସେ ବିଶେଷ ଧ୍ୟାନ ଦେଇଥାନ୍ତି। ସୂଚନାଯୋଗ୍ୟ, ହକି ପ୍ରତି ସିଧାସଳଖ ଅବା ପରୋକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଏଫ୍ଆଇଏଚ୍ ସଭାପତି ପୁରସ୍କାର ଦିଆଯାଇଥାଏ। ଏହା କୌଣସି ସଂଗଠନ, ଜାତୀୟ ଆସୋସିଏଶନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଦିଆଯାଇପାରେ।


