ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ ବାଇଧର ମନ୍ଦିର ନିକଟରେ ବିଦ୍ୟାଳୟର ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ମହିଳା ଜଣକ କାନ୍ଦୁଥିବା ବେଳେ ହଣାକଟା ଧମକ ଦିଆଯାଉଥିବାର ଶୁଣିବାକୁ ମିଳିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ଖବର ପାଇ ମହିଳାଙ୍କ ସ୍ବାମୀ ଓ ତାଙ୍କ ସମ୍ପର୍କିୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୁରୁଷୋତ୍ତମପୁର ପୋଲିସକୁ ଏନେଇ ଖବର ଦିଆଯାଇଥିଲା। ପୋଲିସ ତାଙ୍କୁ ଥାନାକୁ ଆଣିଥିବା ବେଳେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିବାର କହି ଆପୋଷ ବୁଝାମଣା କରି ସେମାନେ ଘରକୁ ଚାଲିଯାଇଥିଲେ। ତେବେ କେଉଁ କାରଣରୁ ଦୁଇ କର୍ମଚାରୀଙ୍କ ମଧ୍ୟରେ ଏଭଳି ଘଟିଥିଲା ସେନେଇ ଏପର୍ଯ୍ୟନ୍ତ ପ୍ରକୃତ ଘଟଣା ଜଣାପଡିନାହିଁ। ଅନ୍ୟପଟେ ଏନେଇ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଏହି ଘଟଣା ବାହାରେ ଘଟିଛି। ତେଣୁ ସେ ଏ ବିଷୟରେ କିଛି ଜାଣିନାହାନ୍ତି। ଉଭୟ କର୍ମଚାରୀ କଣ୍ଟ୍ରାକ୍‌ଚୁଆଲ ଭାବେ କାର୍ଯ୍ୟରତ ଅଛନ୍ତି। ଏହାର ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି।