Categories: ଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାଇଂ: ବ୍ରାଜିଲ, ଆର୍ଜେଣ୍ଟିନା ଅଗ୍ରଣୀ

ସାଓ ପାଓଲୋ,୧୫।୧୦(ଏପି): ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରେ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ଅଗ୍ରଣୀ ବଜାୟ ରଖିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନେମାରଙ୍କ ହ୍ୟାଟ୍ରିକ ଗୋଲ ଜରିଆରେ ବ୍ରାଜିଲ ପେରୁକୁ ୪-୨ ଗୋଲରେ ପରାସ୍ତ କରିଛି। ଏଥିସହ ନେମାର ବ୍ରାଜିଲର ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ୨୦୧୦ରେ ବ୍ରାଜିଲ ପାଇଁ ପଦାର୍ପଣ କରିଥିବା ନେମାର ୧୦୩ଟି ମ୍ୟାଚ୍‌ ଖେଳି ମୋଟ ଉପରେ ୬୪ଟି ଗୋଲ ସ୍କୋର କରି ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି। ତେବେ ସେ କିମ୍ବଦନ୍ତୀ ଫୁଟବଲ ପେଲେଙ୍କଠାରୁ ଆହୁରି ୧୩ଟି ଗୋଲ ଦୂରରେ ରହିଛନ୍ତି। ନେମାର ରୋନାଲ୍ଡୋଙ୍କଠାରୁ ୨ଟି ଅଧିକ ଗୋଲ ସ୍କୋର କରିଛନ୍ତି। ସେହିପରି ଆର୍ଜେଣ୍ଟିନା ୨-୧ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ଏଥିସହ ରାଉଣ୍ଡ- ରବିନ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇ ଦେଶ ଦୁଇଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ୬ ଲେଖାଏ ପଏଣ୍ଟ ହାସଲ କରଛନ୍ତି। ଗୋଲ ବ୍ୟବଧାନରେ ଆଗରେ ରହି ବ୍ରାଜିଲ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ବେଳେ ଆର୍ଜେଣ୍ଟିନା ଦ୍ୱିତୀୟ ସ୍ଥାନରେ ରହିଛି। ଗତ ସପ୍ତାହରେ ବ୍ରାଜିଲ ୫-୦ ଗୋଲରେ ବଲିଭିଆକୁ ପରାସ୍ତ କରିଥିଲେ। ଫଳରେ ଗୋଲ ବ୍ୟବଧାନ ଦୃଷ୍ଟିକୋଣରୁ ବ୍ରାଜିଲ ଅନ୍ୟଦେଶଗୁଡିକୁ ପଛରେ ପକାଇଛି।
ମଙ୍ଗଳବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡିକରେ ଇକ୍ୟୁଡର ୪-୨ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ସେହିପରି ପାରାଗୁଏ ୧-୦ ଗୋଲରେ ଭେନେଜୁଏଲାକୁ ହରାଇଛି। ତେବେ କଲମ୍ବିଆ- ଚିଲି ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଛି। ଏବେ ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ କ୍ୱାଲିଫାୟର ନଭେମ୍ବର ମାସରେ ଖେଳାଯିବ। କାତାରରେ ଖେଳାଯିବାକୁ ଥିବା ୨୦୨୨ ଫିଫା ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକାରୁ ୪ଟି ଦେଶ ସିଧାସଳଖ ଯୋଗ୍ୟତା ହାସଲ କରିବେ। ତେବେ ଏହି ମହାଦେଶର ଶ୍ରେଷ୍ଠ ପଞ୍ଚମ ଦେଶ ଏକ ଇଣ୍ଟରକଣ୍ଟିନେଣ୍ଟାଲ ପ୍ଲେଅଫ୍‌ ଦ୍ୱାରା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟାତା ହାସଲ କରିବ।

Share