ସ୍କୁଲରେ ମହିଳା ଅଭିଭାବକ-ଶିକ୍ଷୟିତ୍ରୀ ମୁହାଁମୁହିଁ

ଆନନ୍ଦପୁର,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁର ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟ କମ୍ପ୍ୟୁଟର ରୁମ୍‌ରେ ପଡିଥିବା କିଛି ପୁରୁଣା କାର୍ପେଟକୁ ବଦଳାଯାଇ ନୂଆ କାର୍ପେଟ ଲଗାଯାଇଥିଲା। ପୁରୁଣା କାର୍ପେଟଗୁଡିକ ବିଦ୍ୟାଳୟରେ ଥିବା ବେଳେ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଲୁଚାଛପା ଭାବେ ଏକ ବସ୍ତାରେ ପେକିଂ କରି ଶନିବାର ସନ୍ଧ୍ୟାରେ ବିଦ୍ୟାଳୟର କେତେକ ଛାତ୍ରଙ୍କ ଦ୍ୱାରା ଘରକୁ ନେଉଥିଲେ। ସେତିକି ବେଳେ ଗ୍ରାମବାସୀଙ୍କ ଦ୍ୱାରା ଏହା ଧରାପଡିଥିଲା।

ଖବର ପାଇ ବିଦ୍ୟାଳୟ କମିଟି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି କାର୍ପେଟକୁ ଜବତ କରିଥିଲେ। ସୋମବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଙ୍କିମ ଚରଣ ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ଅଭିଭାବକଙ୍କ ସମେତ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଓ ସିଆରସିସି ବିଶ୍ୱ ଭୂଷଣ ରାଉତ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତିକି ବେଳେ ପିଲାଙ୍କୁ ଡାକି ପଚରାଯିବାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ନାମ ପଦାକୁ ଆସିଥିଲା।

ଏଥିରେ ଉତ୍ତେଜିତ ହୋଇ କିଛି ଅଭିଭାବକ ବିଦ୍ୟାଳୟରେ ପୂର୍ବରୁ ଚୋରି ହୋଇଥିବା ଘଟଣାରେ ଶିକ୍ଷୟିତ୍ରୀଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ। ଏପରିକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଘଟଣାର ସମାଧାନ ପାଇଁ ପ୍ରଧାନ ଶିକ୍ଷକ ଓ ସିଆରସିସି ଅଫିସ କାର୍ଯ୍ୟାଳୟରେ ଆଲୋଚନା ବେଳେ କିଛି ଅଭିଭାବକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଶିକ୍ଷୟିତ୍ରୀ ଜଣକ ଧରି ଥିବା ପାଣି ବୋତଲରେ ଜଣେ ମହିଳା ଅଭିଭାବକଙ୍କୁ ଆକ୍ରମଣ କରିଥିଲେ। ଏନେଇ ମହିଳା ଅଭିଭାବକ ଜଣକ ଶିକ୍ଷୟିତ୍ରୀଙ୍କୁ ପଲଟା ଆକ୍ରମଣ କରିଥିଲେ। ଫଳରେ ଉଭୟ ଆହତ ହୋଇଛନ୍ତି। ମହିଳା ଅଭିଭାବକଙ୍କୁ ଏକ ଅଟୋ ଯୋଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନିଆଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ରାଉତ ଓ ଆନନ୍ଦପୁର ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ।