ସିଧା ପ୍ରସାରଣ ସମୟରେ ଖସି ପଡିଲା ମହିଳା ଆଙ୍କରଙ୍କ ଦାନ୍ତ

କ୍ୱିଭ,୧୮।୭: ୟୁକ୍ରେନର ଜଣେ ଟେଲିଭିଜନ ନ୍ୟୁଜ ଆଙ୍କର ମରିକା ପଡଲ୍କୋ ସମାଚାର ପଢିବା ସମୟରେ ହଠାତ୍‌ ତାଙ୍କର ଏକ ଦାନ୍ତ ଖସି ପଡିଥିଲା। ହେଲେ ସେ ଖୁବ୍‌ ସତର୍କତାର ସହ ହାତରେ ତାଙ୍କ ଦାନ୍ତକୁ ଧରି ନେଇଥିଲେ। ଏହାପରେ ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ସହ ସମ୍ପୂର୍ଣ୍ଣ ଘଟଣାର ବିବରଣୀ ଦେଇଛନ୍ତି। ଦାନ୍ତ ପଡିଯିବା ପରେ ବି ସେ ତାଙ୍କ ସମାଚାର ପଢା ବନ୍ଦ ନ ରଖି ଶେଷ ପର୍ଯ୍ୟନ୍ତ ସମାଚାର ପଢି ଚାଲିଥିଲେ। ଏହାର ଏକ ଭିଡିଓ ମରିକା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଲେଖିଛନ୍ତି ୨୦ ବର୍ଷ କ୍ୟାରିୟର ଭିତରେ ଏମିତି ପ୍ରଥମଥର ହୋଇଛି। ଯେତେବେଳେ ମୋର ଦାନ୍ତ ବାହାରି ଆସିଥିଲା ସେତେବେଳେ ମୋ ସହଯୋଗୀ ଏସମ୍ପର୍କରେ ମୋତେ ଜଣାଇଥିଲେ ଓ ମୁଁ ତୁରନ୍ତ ଦାନ୍ତଟିକୁ ହାତରେ ଧରି ନେଇଥିଲି। ଏହି ସମୟରେ ଲାଇଭ୍‌ ଶୋ ଚାଲିଥିବାରୁ ମୁଁ ବିଚଳିତ ହୋଇ ନ ଥିଲି। ତେବେ ୧୦ ବର୍ଷ ପୂର୍ବରୁ ତାଙ୍କ ଝିଅ ଖେଳିବା ସମୟରେ ଏକ ଆଲର୍ମ ଘଡି ଫିଙ୍ଗି ଦେବାରୁ ତାଙ୍କ ଦାନ୍ତଟି ଭାଙ୍ଗି ଯାଇଥିଲା। ହେଲେ ଏହାପରେ ବି ସେ ତାଙ୍କ କ୍ୟାରିୟରକୁ ଆଗକୁ ନେଇ ଚାଲିଥିଲେ ବୋଲି ଲେଖିଛନ୍ତି। ସୋସିଆଲ ମିଡିଆରେ ସେ ଭିଡିଓ ଶେୟାର କରିବା ପରେ ବହୁ ୟୁଜର୍ସ ତାଙ୍କର ପ୍ରଶଂସା କରିବା ସହ ଏହା ସଚ୍ଚା ସାମ୍ବାଦିକତା ବୋଲି କହିଛନ୍ତି। ଲାଇଭ୍‌ ଶୋରେ କେବେ କେଉଁ ପରିସ୍ଥିତି ଆସିବ ତାହା ଜଣା ନ ଥାଏ କିନ୍ତୁ ମରିକାଙ୍କ ସହ ଘଟିଥିବା ଘଟଣାକୁ ସେ ଯେଉଁଭଳି ହ୍ୟାଣ୍ଡେଲ କରିଛନ୍ତି ସମସ୍ତେ ତା’ର ପ୍ରଶଂସା କରୁଛନ୍ତି।

Share