ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷଶୂନ୍ୟ

ମାଲକାନଗିରି,୧୬।୫(ଡି.ଏନ୍‌.ଏ.): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟିଖାଲ ଗ୍ରାମ ଉପରେ ପୋଲିସ ସୋମବାର ଚଢ଼ାଉ କରିଛି। କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ ପ୍ଲାଟୁନ ପୋଲିସ ମିଳିତ ଭାବରେ ଚଢ଼ାଉ କରିବାରୁ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। ଏଯାବତ୍‌ କାହାକୁ ଗିରଫ କରା ଯାଇ ନ ଥିବା ବେଳେ ଧନୁ, ତୀର,ଟାଙ୍ଗିଆ ପୋଲିସ ଜବତ କରିଛି।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମରେ ଗଞ୍ଜେଇ ଗଚ୍ଛିତ ଥିବା ନେଇ ମାଲକାନଗିରି ପୋଲିସ ଚଢ଼ାଉ କରିଥିଲା। ପରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ପୋଲିସ କର୍ମଚାରୀମାନେ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି।