ବୁଗୁଡ଼ାବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ

ବୁଗୁଡ଼ା,୩୧ା୭(ଡି.ଏନ୍‌.ଏ.): ଗଞ୍ଜାମର ବୁଗୁଡ଼ା ସହରରେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ବୁଗୁଡ଼ା ସହରବାସୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ସହରର ପରିବା ବଜାର ନିକଟରେ ମଇଳା ଜମି ରହିବା ସହ ବିଭିନ୍ନ ସାହି ଓ ଗଳିରେ ନର୍ଦ୍ଦମା ପାଣି ଜମି ରହି ମଶାବଂଶ ବୃଦ୍ଧିରେ ସହାୟକ ହେଉଛି। ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ଟିଫା ମେଶିନ କିଣା ଯାଇଥିଲେ ହେଁ ତାହା ବହୁ ବର୍ଷ ହେଲା ବ୍ୟବହାର ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଡେଙ୍ଗୁ ବାହକ ଏଡିସ୍‌ ମଶାକୁ ମାରିବା ପାଇଁ ମେଡିକାଲ ପରିସରରେ ଏକ କୁଣ୍ଡ କରାଯାଇ ମଶାଙ୍କ ଲାର୍ଭା ଖାଇ ଯାଉଥିବା ଗମ୍ବୁସିଆ ନାମକ ମାଛ ଛଡ଼ା ଯାଇଥିଲା। ଉକ୍ତ ମାଛ ଦିନକୁ ଶହେରୁ ତିନି ଶହ ପର୍ଯ୍ୟନ୍ତ ମଶାଙ୍କ ଲାର୍ଭା ଖାଇ ମଶାବଂଶ ବୃଦ୍ଧିରେ ବାଧା ସୃଷ୍ଟି କରୁ ଥିବାରୁ କୁଣ୍ଡ ଭିତରେ ଶତାଧିକ ଗମ୍ବୁସିଆ ମାଛ ଛଡ଼ା ଯାଇଥିଲା। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବରୁ ମାଛଗୁଡ଼ିକ ମରିଯାଇଥିଲେ। ଫଳରେ ବର୍ଷେ ହେଲା ଉକ୍ତ କୁଣ୍ଡକୁ ପୋତି ଦେଇ ତାହା ଉପରେ ଏବେ ଗୃହ ନିର୍ମାଣ ସରିଲାଣି। ବର୍ତ୍ତମାନ ମଶା ନିୟନ୍ତ୍ରଣ ପାଇଁ ଟିଫା ମେଶିନ ପ୍ରୟୋଗ ସହ ସହରର ସମସ୍ତ ନାଳ ନର୍ଦ୍ଦମା ସଫା କରାଯାଇ ନାଳ ପାଣି ଜମି ରହୁଥିବା ସ୍ଥାନରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଗଲେ ଡେଙ୍ଗୁ ଆଶଙ୍କା ରହିବ ନାହିଁ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏନ୍‌ଏସି ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ନାଳ ନର୍ଦ୍ଦମାରେ ବ୍ଲିଚିଂ ଓ ଫିନାଇଲ ପକାଯାଉଥିବା ବେଳେ ଖୁବ୍‌ଶୀଘ୍ର ଟିଫା ମେଶିନରୁ ଧୂଆଁ ଛଡ଼ାଯିବ ବୋଲି ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି।