ଅଭୟାରଣ୍ୟରେ ବଢ଼ୁଛି ଭୟ

ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ପ୍ରସିଦ୍ଧ ଶିମିଳିପାଳ। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟକୁ ୟୁନେସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା। ମାତ୍ର ଜୀବଜଗତକୁ ବଞ୍ଚାଇ ରଖୁଥିବା ଏହି ଅଭୟାରଣ୍ୟରେ ଏବେ ଭୟ ରାଜୁତି କରୁଛି। ଏଠାରେ ବସବାସ କରୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ବନବିଭାଗ ଅବହେଳା ପ୍ରଦର୍ଶନ କରିବାରେ ଲାଗିଛି। କର୍ମଚାରୀ ଓ ଶିକାରୀମାନେ ମିଳିତ ଭାବେ ଶିକାର କରିବା ଦ୍ୱାରା ଧୀରେ ଧୀରେ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ନିୟମିତ ବ୍ୟବଧାନରେ ହାତୀ ଓ ବାଘ ଶିକାର ଚାଲିଛି। ଗୁଳି ଶବ୍ଦ ଶୁଣି ନିଜକୁ ଅସୁରକ୍ଷିତ ମନେକରୁଥିବା ହିଂସ୍ର ଓ ତୃଣଭୋଜି ଜାତୀୟ ପ୍ରାଣୀମାନେ ଜଙ୍ଗଲ ଛାଡ଼ି ଗଁା ଓ ସହରମୁହଁା ହେଉଛନ୍ତି। ସେମାନଙ୍କ ବଂଶବୃଦ୍ଧି ତଥା ସୁରକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ହେଁ ତାହା ଠିକ୍‌ ଭାବେ ବିନିଯୋଗ ହେଉ ନ ଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିିଛନ୍ତି।
୨୭୫୦ବର୍ଗ କି.ମି. ପରିଧି ମଧ୍ୟରେ ରହିଛି ଶିମିଳିପାଳ ଅଭୟାରଣ୍ୟ। ଏହାରି ଭିତରେ ୫୫ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ପ୍ରଜାତିର ପକ୍ଷୀ, ୬୨ପ୍ରକାର ସରୀସୃପ ଓ ୨୦ପ୍ରଜାତିର ଉଭୟଚର ପ୍ରାଣୀ ବସବାସ କରୁଛନ୍ତି। ଏଥିରେ ମହାବଳ, କଳାରଙ୍ଗର ମହାବଳ, କଲରାପତରିଆ ବାଘ, ଜଙ୍ଗଲୀ ବିରାଡି, ବଳିଆ କୁକୁର, ଗଧିଆ, ହାତୀ, ଭାଲୁ, ଶମ୍ବର, କୁଟୁରା, ହରିଣ, ଚୌଶିଙ୍ଗା, ଗୟଳ, ଗୁରାଣ୍ଡି, ବାର୍‌ହା, ବଜ୍ରକାପ୍ତା, ଝିଙ୍କ, ପାହାଡୀ କଇଁଛ, କୁମ୍ଭୀର ଓ ବିଷଧର ସାପ ଭଳି ସରୀସୃପ ଆଦି ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳେ। ଏହି ବନ୍ୟପ୍ରାଣୀଙ୍କୁ ଦେଖି ପର୍ଯ୍ୟଟକମାନେ ଖୁସି ହେବା ସହ ଏହାର ସୁରକ୍ଷା ପ୍ରତି ଦାବି ଉଠାଇଛନ୍ତି। ଦିନକୁ ଦିନ ବାଘ ଛାଲ ଜବତ ହେବା ଓ ଦନ୍ତାହାତୀ ଶିକାର ଘଟଣା ପ୍ରାଣୀପ୍ରେମୀ ଓ ଆଗନ୍ତୁକମାନଙ୍କୁ କଷ୍ଟ ଦେଉଛି। ମହାବଳ ବାଘ ଓ ହାତୀ ସଂଖ୍ୟା କମୁଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।
-ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା