ବୀମାଶିଳ୍ପରେ ଏଫ୍‌ଡିଆଇ ଅନାବଶ୍ୟକ

ଦେଶୀ ବୀମା କମ୍ପାନୀଙ୍କ ସ୍ବାର୍ଥ ପାଇଁ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବା ଏଫ୍‌ଡିଆଇ ସୀମାକୁ ୭୪%ରୁ ଶତ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ବଦ୍ଧପରିକର। ଏଥି ପାଇଁ ରିଜର୍ଭ ବ୍ୟାଙ୍କର ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ, ବରଂ ସିଧାସଳଖ ଆସିପାରିବ।
ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ବୀମା ଆଇନ ଓ ନିୟମରେ ସଂଶୋଧନ କରିବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ସଂସଦୀୟ କମିଟି ସରକାରଙ୍କୁ ସତର୍କ କରିଦେଇଛି ଯେ ବିଦେଶୀ କମ୍ପାନୀ ଲାଭ ନିଜ ଦେଶକୁ ନେଇଯିବାର କୁପ୍ରଭାବ ଭାରତ ଉପରେ ପଡ଼ିପାରେ। ଅବଶ୍ୟ ବିଦେଶୀ କମ୍ପାନୀଗୁଡ଼ିକର ଆମର ଘରୋଇ ସଞ୍ଚୟ ଉପରେ ଅଧିକ ନିୟନ୍ତ୍ରଣ ରହିବ ଯାହା ଅର୍ଥନୀତି ପାଇଁ କ୍ଷତିକାରକ। ନିବେଶ ଏବଂ ଅଭିବୃଦ୍ଧିରେ ଘରୋଇ ସଞ୍ଚୟର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ଏହା ଆଶଙ୍କା କରାଯାଉଛି ଯେ ଏପରି ନିଷ୍ପତ୍ତି ଜାତୀୟକରଣର ପୂର୍ବ ଯୁଗକୁ ନେଇଯିବ ଯେତେବେଳେ ବୀମାଧାରୀଙ୍କ ଟଙ୍କା ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ଅପବ୍ୟବହାର କରାଯାଇଥିଲା।
ଏଫ୍‌ଡିଆଇ ସୀମା ବୃଦ୍ଧି ସପକ୍ଷରେ ଏକ ଯୁକ୍ତି ହେଉଛି ବିଦେଶୀ କମ୍ପାନୀ ଅଧିକ ପୁଞ୍ଜି ଆଣିବେ, ସ୍ବାଧୀନ ଭାବେ କାର୍ଯ୍ୟ କରିବେ। କିନ୍ତୁ ବିଦେଶୀ କମ୍ପାନୀଗୁଡ଼ିକ ବର୍ତ୍ତମାନର ୭୪% ଏଫ୍‌ଡିଆଇ ସୀମାର କେବଳ ୩୨.୬୭% ବ୍ୟବହାର କରିଛନ୍ତି। ବହୁ କମ୍‌ ବିଦେଶୀ କମ୍ପାନୀ ୭୪% ଏଫ୍‌ଡିଆଇ ସୀମା ଛୁଇଁଛନ୍ତି। ୨୦୦୦ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ, ଭାରତର ବୀମା କ୍ଷେତ୍ରରେ ୮୨,୮୪୭ କୋଟି ଟଙ୍କାର ଏଫ୍‌ଡିଆଇ ଆସିଥିଲା, ଯେଉଁଥିରୁ ଡିସେମ୍ବର ୨୦୧୪ରୁ ଜାନୁଆରୀ ୨୦୨୪ ମଧ୍ୟରେ ୫୩,୯୦୦ କୋଟି ଟଙ୍କା (୬.୫ ବିଲିୟନ ଡଲାର) ଏଫ୍‌ଡିଆଇ ଆସିଥିଲା। ପ୍ରାୟ ୯ଟି ବିଦେଶୀ ବୀମା କମ୍ପାନୀ ଭାରତୀୟ ବୀମା ବଜାରରୁ ତାଙ୍କ ପୁଞ୍ଜି ନେଇ ନିଜ ଦେଶକୁ ଚାଲିଯିବାବେଳେ ଗତ ଦଶ ବର୍ଷରେ କେବଳ ଦୁଇଟି ନୂତନ ଜୀବନ ବୀମା କମ୍ପାନୀ ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏଫ୍‌ଡିଆଇ ବୃଦ୍ଧିକୁ ଜୋରଦାର ବିରୋଧ କରୁଥିବା ଅଲ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ଏମ୍ପ୍ଲଇଜ ଆସୋସିଏଶନ କହିଛି ଯେ ଏହି ବିଦେଶୀ କମ୍ପାନୀଗୁଡ଼ିକ ନିଜ ପୁଞ୍ଜିର ପ୍ରତ୍ୟାହାର ବା ଲାଭ ନିଜ ଦେଶକୁ ନେବା ବାବଦରେ ଆମ ଦେଶରୁ ୬୮,୭୪୦ କୋଟି ଟଙ୍କା ନେଇଛନ୍ତି। ଏହା ସୂଚାଉଛି ଯେ ଭାରତକୁ ବିଦେଶୀ ପୁଞ୍ଜି କ’ଣ ଆସିବ, ବରଂ ଭାରତୀୟମାନଙ୍କ ସଞ୍ଚୟ ବିଦେଶକୁ ଚାଲିଯାଉଛି।
ପ୍ରଚାର କରାଯାଉଛି ଯେ ଭାରତର ବୀମା କ୍ଷେତ୍ରରେ ଏଫ୍‌ଡିଆଇ ବୃଦ୍ଧି ଯୋଗୁ ଇନସ୍ୟୁରାନ୍ସ ପେନିଟ୍ରେଶନ ବା ବୀମା ପ୍ରବେଶ , ଇନସ୍ୟୁରାନ୍ସ ଡେନ୍‌ସିଟି (ବୀମା ଘନତା) ବୃଦ୍ଧି ପାଇବ ଏବଂ ବୀମା ସୁରକ୍ଷା ବ୍ୟବଧାନ ହ୍ରାସ ପାଇବ। ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ ହୋଇପାରିବ। କିନ୍ତୁ ଏଫ୍‌ଡିଆଇ ସୀମା ବୃଦ୍ଧି ସତ୍ତ୍ୱେ ଭାରତ ବିଶ୍ୱ ବୀମା ପ୍ରବେଶ ର଼୍ୟାଙ୍କିଙ୍ଗରେ ୨୫ତମ ସ୍ଥାନରେ ରହିଛି। ଭାରତରେ ବୀମା ପ୍ରବେଶ ହାର ଜିଡିପି ଅନୁସାରେ ବାର୍ଷିକ ପ୍ରିମିୟମର ଅନୁପାତ- ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇନାହିଁ। ୨୦୦୧ରେ ବୀମା ପ୍ରବେଶ ହାର ୨.୭୧% ଥିଲା, ଯାହା ୨୦୦୯-୧୦ରେ ୫.୨%କୁ ବୃଦ୍ଧିପାଇଥିଲା। ଏହା ୨୦୨୨-୨୩ରେ ୪% ଏବଂ ୨୦୨୩-୨୪ରେ ୩.୭%କୁ ହ୍ରାସ ପାଇଛି। ୨୦୨୩-୨୪ରେ ବିଶ୍ୱରେ ଏହା ହାରାହାରି ୭% ଥିଲା। ଜୀବନ ବୀମା କ୍ଷେତ୍ରର ପ୍ରବେଶ ହାର୨୦୦୧ରେ ୨.୧୫%ରୁ ବୃଦ୍ଧି ପାଇ ୨୦୦୯-୧୦ରେ ୪.୬%ରେ ପହଞ୍ଚତ୍ ଥିଲା, ଯାହା ହ୍ରାସ ପାଇ ୨୦୨୨-୨୩ ରେ ୩% ଏବଂ ୨୦୨୩-୨୪ରେ ୨.୮% ହୋଇଛି। ଅପର ପକ୍ଷରେ ସାଧାରଣ ବୀମା ପ୍ରବେଶ ହାର୨୦୦୧ରେ ୦.୫୬%ରୁ ବୃଦ୍ଧି ପାଇ ୨୦୦୯-୧୦ରେ ୦.୬% ଏବଂ ୨୦୧୦-୧୧ରେ ୦.୭% ହୋଇଛି। ୨୦୨୩-୨୪ ବର୍ଷ ସହିତ ଗତ ୪ ବର୍ଷରେ ପ୍ରାୟତଃ ୧% ରହିଛି। ପ୍ରକୃତରେ, ଭାରତର ଜୀବନ ବୀମା ପ୍ରବେଶ ହାର ବିଶ୍ୱ ହାର ୨.୯% ସହିତ ସମାନ ବା ଅଧିକ। କିନ୍ତୁ ବିଶ୍ୱରେ ସାଧାରଣ ବୀମା ପ୍ରବେଶ ହାର ୪.୨% ଥିଲାବେଳେ ଭାରତରେ ଏହା ୦.୯%। ଏହି ପାର୍ଥକ୍ୟର କାରଣ ହେଲା ଭାରତୀୟମାନେ ସାଧାରଣତଃ ଯାନବାହନ ବ୍ୟତୀତ ଅନ୍ୟ ସମ୍ପତ୍ତିର ସାଧାରଣ ବୀମା କରନ୍ତି ନାହିଁ।
ସେହିପରି ବୀମା ଘନତା- ପ୍ରତି ମୁଣ୍ଡପିଛା ବୀମା ପ୍ରିମିୟମ -୨୦୦୧ରେ ୧୧.୫ ଡଲାର ଥିଲା। ତାହା ୨୦୨୨-୨୩ରେ ୯୨ଡଲାର (୮,୦୩୫ ଟଙ୍କା) ଏବଂ ୨୦୨୩-୨୪ରେ ୯୫ଡଲାର (୮,୨୯୭ ଟଙ୍କା)ରେ ପହଞ୍ଚତ୍ଛି। ୨୦୨୩-୨୪ରେ ବିଶ୍ୱରେ ଏହା ହାରାହାରି ୮୮୯ ଡଲାର ଥିଲା। ୨୦୨୨-୨୩ ଏବଂ ୨୦୨୩-୨୪ ମଧ୍ୟରେ, ସାଧାରଣ ବୀମା ଘନତା ୨୨ ଡଲାରରୁ ୨୫ ଡଲାରକୁ ବୃଦ୍ଧି ପାଇଥିଲାବେଳେ ଜୀବନ ବୀମା ଘନତା ୭୦ ଡଲାରରେ ସ୍ଥିର ରହିଥିଲା। ବିଶ୍ୱ ହାରାହାରି ତୁଳନାରେ ଭାରତର ବୀମା ଘନତା କମ ହେବାର କାରଣ ହେଉଛି ଏହା ଟଙ୍କାରୁ ଡଲାରର ବିନିମୟ ହାରରେ (୮୫ ଟଙ୍କା =୧ ଡଲାର ) ପ୍ରକାଶ ହୁଏ, କିନ୍ତୁ କ୍ରୟ ଶକ୍ତି ସମାନତାରେ (୨୦.୬୦ଟଙ୍କା =୧ ଡଲାର ) ନୁହେଁ। ଏହା ବ୍ୟତୀତ ଯେତେବେଳେ ଭାରତ ମୁଣ୍ଡପିଛା ଜିଡିପି କ୍ଷେତ୍ରରେ ପ୍ରାୟ ୧୪୧ଦେଶ ପଛରେ ଅଛି ଏବଂ ଏକ ନିମ୍ନ ମଧ୍ୟମ ଆୟ ଦେଶ ଭାବରେ୨୦୦୭ରୁ ରହିଛି, ସେତେବେଳେ କେବଳ ଏଫ୍‌ଡିଆଇ ସୀମା ବୃଦ୍ଧିକଲେ ବୀମା ପ୍ରବେଶ ଓ ବୀମା ଘନତା ହାର ବୃଦ୍ଧି ପାଇବ ନାହିଁ। ଆଶ୍ଚର୍ଯ୍ୟଜନକ କଥା ଯେ, ଘରୋଇ ବୀମା କମ୍ପାନୀଗୁଡ଼ିକର ସଂଖ୍ୟା ବୃଦ୍ଧି ଏବଂ ଏଫ୍‌ଡିଆଇ ସୀମା ବୃଦ୍ଧି ସତ୍ତ୍ୱେ, ଭାରତରେ ବୀମା ସୁରକ୍ଷା ବ୍ୟବଧାନ ଭୟଙ୍କର। ବୀମା ସୁରକ୍ଷା ବ୍ୟବଧାନ (ଆଇପିଜି) ପ୍ରତ୍ୟେକ ଦେଶରେ ସମ୍ଭାବ୍ୟ ସର୍ବୋତ୍ତମ ବୀମା କଭରେଜ ଏବଂ ପ୍ରକୃତ କଭରେଜ ମଧ୍ୟରେ ପାର୍ଥକ୍ୟ ସୂଚାଇ ଥାଏ। ଅନ୍ୟ ଶବ୍ଦରେ, ଏହା ବୀମାଭୁକ୍ତ ନ ହେବା ଜନିତ କ୍ଷତିକୁ ସୂଚାଇଥାଏ। ୨୦୨୩ର ଜାତୀୟ ବୀମା ଏକାଡେମୀ (ଏନ୍‌ଆଇଏ) ଅଧ୍ୟୟନ ଅନୁସାରେ, ଭାରତରେ ବୀମା ସୁରକ୍ଷା ବ୍ୟବଧାନ ୨୦୧୯ରେ ୮୩% ଥିଲା ଏବଂ ତାହା୨୦୨୩ରେ ୮୭%କୁ ବୃଦ୍ଧି ପାଇଛି। ୧୮ରୁ ୩୫ବର୍ଷ ବୟସର ଯୁବକଙ୍କ ମଧ୍ୟରେ ଏହା ୯୦%ରୁ ଅଧିକ । ଏହାର ଅର୍ଥ ହେଉଛି ଅନେକ ଭାରତୀୟ ବୀମାଭୁକ୍ତ ହୋଇନାହାନ୍ତି। ଏହା ପରିବାରର ଆର୍ଥିକ ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି। ବିଦେଶୀ କମ୍ପାନୀଙ୍କ ସଂଖ୍ୟା ବଢିଲେ ଏହା ଦୂର ହେବ ନାହିଁ। କାରଣ ଯେତେବେଳେ ବିଶ୍ୱ ବ୍ୟାଙ୍କ ଅନୁଯାୟୀ ୩୫ କୋଟି ଭାରତୀୟ ଭଲ ଜୀବନ ଯାପନ କରିପାରୁ ନାହାନ୍ତି ଏବଂ ୮୦ କୋଟି ଖାଦ୍ୟ ସହାୟତା ଉପରେ ନିର୍ଭର କରୁଛନ୍ତି, ସେତେବେଳେ ସମସ୍ତେ କିପରି ବୀମା କରିବେ ?
ପ୍ରକୃତରେ, ୨୦୦୯-୧୦ରେ ଭାରତରେ ବୀମା ପ୍ରବେଶ ହାର ରେକର୍ଡ ସର୍ବାଧିକ ୫.୨% ଥିଲା, ଯେତେବେଳେ ନିଟ୍‌ ଆର୍ଥିକ ସଞ୍ଚୟ ଜିଡିପିର ୧୨.୧୦% ଥିଲା, ଯାହା ରେକର୍ଡ ସର୍ବାଧିକ। ବୀମା, ବ୍ୟାଙ୍କ, ଶେୟାର, ପୋଷ୍ଟାଲ ସଞ୍ଚୟ ଆଦି ଆର୍ଥିକ ସଞ୍ଚୟର ଅଂଶ। କିନ୍ତୁ ବର୍ତ୍ତମାନ ନିଟ୍‌ ଆର୍ଥିକ ସଞ୍ଚୟ ୫.୨%କୁ ହ୍ରାସ ପାଇଛି, ଯାହା ଚାରି ଦଶନ୍ଧିର ସର୍ବନିମ୍ନ। ଯଦି ନିଟ୍‌ ଆର୍ଥିକ ସଞ୍ଚୟ ବୃଦ୍ଧି ନ ହୁଏ, ତେବେ ଏଫ୍‌ଡିଆଇ ବୃଦ୍ଧି ବୀମା ପ୍ରବେଶ ଏବଂ ଘନତା ବୃଦ୍ଧି କରିପାରିବ ନାହିଁ। ନିଟ୍‌ ଆର୍ଥିକ ସଞ୍ଚୟ ବୃଦ୍ଧି ଘଟିବ ଯଦି ଲୋକଙ୍କର ଟିକସ ପରେ ବ୍ୟବହାରଯୋଗ୍ୟ ଆୟ ବୃଦ୍ଧି ପାଇବ। ଧନୀମାନେ ଅଧିକ ରିଟର୍ନ ପାଇଁ ରିୟଲ ଇଷ୍ଟେଟ ଏବଂ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ବର୍ନଷ୍ଟାଇନଙ୍କ ଏକ ନୂତନ ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୬୦% ଧନୀ ନାଗରିକଙ୍କ ସମ୍ପତ୍ତି ରିୟଲ ଇଷ୍ଟେଟ ଏବଂ ସୁନାରେ ଅର୍ଥ ନିବେଶ କରୁଛନ୍ତି। ତେଣୁ ବୀମା ସମେତ ଅନ୍ୟାନ୍ୟ ଆର୍ଥିକ ସଞ୍ଚୟ ପ୍ରଭାବିତ ହେବା ସ୍ବାଭାବିକ। ପୁନଶ୍ଚ ବୀମା ପ୍ରିମିୟମର ରିସ୍କ କମ୍ପୋନେଣ୍ଟ ଉପରେ ୧୮% ଜିଏସ୍‌ଟି ଆଦାୟ କରିବା, ନୂତନ ଟିକସ ବ୍ୟବସ୍ଥାରେ ବୀମାରେ ସଞ୍ଚୟଜନିତ କୌଣସି ଟିକସ ରିହାତି ପ୍ରାପ୍ତ ନ ହେବା ପ୍ରକ୍ରିୟାର କୁପ୍ରଭାବ ପଡୁଛି। ତେଣୁ ଏଫ୍‌ଡିଆଇ ବୃଦ୍ଧିକୁ ଶତ ପ୍ରତିଶତକୁ ବୃଦ୍ଧି କରିବାର ପ୍ରସ୍ତାବ ହାସ୍ୟାସ୍ପଦ, ନିଷ୍ପ୍ରୟୋଜନ ଏବଂ ଅଯୌକ୍ତିକ ମନେହୁଏ। ଲୋକଙ୍କ ବ୍ୟବହାରଯୋଗ୍ୟ ଆୟ ବୃଦ୍ଧି କରିବାପାଇଁ ସରକାର ପଦକ୍ଷେପ ନେବା ଉଚିତ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri