ମଦ ପାଇଁ ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା

ବ୍ରହ୍ମପୁର,୧୭ା୯(ସୁବାସ ଚନ୍ଦ୍ର ପାଢ଼ୀ) ମଦ ପିଇବା ପାଇଁ ବାପା ଟଙ୍କା ନ ଦେବାରୁ ପୁଅ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ବାପାଙ୍କୁ ପିଟି ହତ୍ୟା କରିଛନ୍ତି। ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ କୁମାରପୁର ଗ୍ରାମରେ।
କୁମାରପୁର ଗ୍ରାମର ରମେଶ ପ୍ରଧାନ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ତାଙ୍କ ପୁଅ ଦାମୋଦର ବାପାଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ରମେଶ ନିଜ ପାଖରେ ଟଙ୍କା ନ ଥିବା କହିଥିଲେ। ଫଳରେ ଦାମୋଦର ବାପାଙ୍କ ସହ ଝଗଡା କରିଥିଲେ। ପରେ ସେ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ରମେଶଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଖବରପାଇ ପୋଲିସ ପହଞ୍ଚି ରମେଶଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଛତ୍ରପୁରରେ ରହୁଥିବା ଝିଅ ନିର୍ମଳା କୁମାରପୁରରେ ପହଞ୍ଚି ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ. ୪୫୯/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ରକ୍ତଭିଜା କାଠଫାଳିଆ ଜବତ କରିଛି। ଦାମୋଦରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଏସ୍‌ଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି।