ଧରାକୋଟ,୨୨।୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): କଥାରେ ଅଛି ବିଧିର ବିଧାନ କେକରିବ ଆନ । ଜନ୍ମ କିମ୍ବା ମୃତ୍ୟୁ କାହା ହାତରେ ନଥାଏ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲା ଧରାକୋଟରୁ । ରାତି ପାହିଲେ ପୁଅର ବାହାଘର ହେବାକୁ ଥିବା ବେଳେ ପୂର୍ବଦିନ ବାପାର ମୃତ୍ୟୁ ହୋଇଛି । ପୁଅର ପାଲିଙ୍କି ଉଠିବା ଆଗରୁ ବାପାର କୋକେଇ ଉଠିଛି । ବାହାଘରକୁ ନେଇ ଘର କୋଳାହଳରେ କମ୍ପୁଥିବା ବେଳେ ବାପାର ମୃତ୍ୟୁ ପରେ ଘରେ କାନ୍ଦ ବୋବାଳିରେ ଫାଟି ଉଠୁଛି । ମୃତକ ହେଲେ ମଙ୍ଗୁଳୁ ଗୌଡ । ବୟସ ତାଙ୍କର ୫୮ବର୍ଷ ବୋଲି ଜଣାପଡିଛି ।
ଖବର ଅନୁସାରେ, ବାପା ମଙ୍ଗୁଳୁ ଗୌଡ ମୋଟର ଦ୍ବାରା ଟାଙ୍କିରେ ପାଣି ଭର୍ତ୍ତି କରୁଥିବା ବେଳେ ସର୍ଟ ସର୍କିଟ ହୋଇ ବିଦ୍ୟୁତ ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଧରାକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଘଟଣା ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

