ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର ରିସେପଶନ ଦିନ ବାପା ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ରବିବାର ବଲାଙ୍ଗୀର ଜିଲା ଲୋଇସିଂହା ସହରରେ ଘଟିଛି। ମୃତକ ହେଲେ ଲୋଇସିଂହାର ଶ୍ୟାମ ମହାକୁର (୫୫)। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁଯାୟୀ, ଶ୍ୟାମଙ୍କ ଗୋଟିଏ ପୁଅ ଓ ଝିଅ। କିଛି ବର୍ଷ ତଳେ ଝିଅର ବାହାଘର ସରିଯାଇଛି। ଶନିବାର ପୁଅର ବାହାଘର ଥିବାରୁ ନିକଟସ୍ଥ କଅଗାଁକୁ ବରଯାତ୍ରୀଙ୍କ ସହ ଯାଇଥିଲେ। ଧୁମ୍ଧାମ୍ରେ ବାହାଘର ସରିଥିଲା। ରବିବାର ବାହାଘର ରିସେପଶନ ଥିବାରୁ ଘରେ ପ୍ରସ୍ତୁତି ଚାଲିଥିଲା। ବନ୍ଧୁବାନ୍ଧବଙ୍କ ଗହଳି ଲାଗିଥିଲା। ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ସୁଯୋଗ ଦେଖି ଶ୍ୟାମ ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଘରୁ ଚାଲି ଯାଇଥିଲେ। ପରେ ଘରଠାରୁ ୧ କିମି ଦୂର ଲୋଇସିଂହା ଷ୍ଟେଶନ ନିକଟ ରେଳ ଧାରଣାରେ କୌଣସି କାରଣରୁ ଶୋଇପଡ଼ି ଆତ୍ମହତ୍ୟା କରିଥିଲେ। ଏକ ମାଲବାହୀ ଟ୍ରେନ୍ରେ କଟିଯାଇ ତାଙ୍କର ଅକାଳ ମୃତ୍ୟୁ ଘଟିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ବାହାଘରର ସବୁ ଖୁସି ନିମିଷକ ମଧ୍ୟରେ ଫିକା ପଡିଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ପରିବାର, ବନ୍ଧୁବର୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା। ପୂର୍ବରୁ ଶ୍ୟାମ ଲୋଇସିଂହା ବସ୍ଷ୍ଟାଣ୍ଡ ନିକଟ ବସ୍ତି ରାସ୍ତାରେ ଜଳଖିଆ ବିକ୍ରି କରି ପରିବାର ଚଳାଉଥିଲେ। ପ୍ରାୟ ଏକ ବର୍ଷରୁ ଊଦ୍ଧର୍ବ ସମୟ ହେବ ଏହାକୁ ବନ୍ଦ କରି ବସ୍ତି ଅଞ୍ଚଳର ଏକ ଜଳଖିଆ ଦୋକାନରେ ମିସ୍ତ୍ରି ଭାବେ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ମିଳିଛି। ବଲାଙ୍ଗୀର ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଶେଷରେ ଅପରାହ୍ନରେ ଗାଁ ଶ୍ମଶାନରେ ଶ୍ୟାମଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଖବର ମିଳିଛି। ରେଲଓ୍ବେ ପୋଲିସ ଅଧିକ ତଦନ୍ତ ଚଳାଇଛି।

