ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାପରେ ରାଗରେ ବାପା ନିଜ ୩୦ ବର୍ଷୀୟ ପୁଅଙ୍କୁ ନିର୍ମମ ଭାବେ ପିଟିଥିଲେ। ଏହାପରେ ପୁଅର ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ମୃତକଙ୍କ ନାମ ମହେଶ ଗାୟକୱାଡ଼। ଏହି ଘଟଣା ପୁଣେର ୱାର୍ଜେ ମାଲୱାଡି ଅଞ୍ଚଳରେ ଘଟିଛି ।

ପୋଲିସର ସୂଚନା ଅନୁସାରେ, ଶ୍ରାବଣ ମାସ ଚାଲିଥିବାରୁ ପରିବାରରେ ମାଂସାହାର ଖାଦ୍ୟ ପ୍ରସ୍ତୁତ ହେଉନଥିଲା। ତେବେ ମହେଶ ଘରେ ମଟନ ଖାଇବାକୁ ଜିଦ୍‌ କରିଥିଲେ। ଏହାକୁ ନେଇ ତାଙ୍କର ବାପାଙ୍କ ସହ ତୀବ୍ର ଯୁକ୍ତିତର୍କ ହୋଇଥିଲା। ବିବାଦ ବଢ଼ିବା ପରେ ବାପା ରାଗିଯାଇ ମହେଶଙ୍କୁ ନିର୍ମମ ଭାବେ ପିଟିଥିଲେ। ଏଥିରେ ମହେଶ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ମହେଶଙ୍କ ମା’ ମଧ୍ୟ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ହତ୍ୟାର ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିବା ପୋଲିସ ଅଭିଯୋଗ କରିଛି। ଘଟଣା ସମ୍ପର୍କରେ ସୂଚନା ପାଇ ୱାର୍ଜେ ମାଲୱାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ମାମଲାରେ ବାପାଙ୍କୁ ହତ୍ୟା ଅଭିଯୋଗରେ ଏବଂ ମା’ଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି। ଉଭୟଙ୍କୁ ହେପାଜତରେ ନେଇ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଚାଲିଛି।

 

Dharitri – Odisha’s No.1 Odia Daily

Share