ସରକାରୀ ଜମି ହଡ଼ପ ଅଭିଯୋଗରେ ବାପା-ପୁଅ ଗିରଫ

ଦାରିଙ୍ଗବାଡ଼ି୨୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବେଧଡ଼କ ଚାଲିଛି ସରକାରୀ ଜମି ହଡ଼ପ। ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି। ଉକ୍ତ ଅଞ୍ଚଳରେ ଜମି ବିବାଦ ଯୋଗୁ ଥାନାରେ ପ୍ରତିଦିନ ଭିଡ଼ ହେଉଥବା ନଜିର ରହିଛି। ଏପରି ଏକ ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦୁଇ ପକ୍ଷ ଏକ ଜମିକୁ ନେଇ ଗଣ୍ଡଗୋଳ ସହ ଘର ଭାଙ୍ଗି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସରକାରୀ ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଥିବା ବେଳେ ଆଉଜଣେ ଉକ୍ତ ଜମି ମୋର କହି ସେଠାରେ ଘର କରି ରହିଥିବା ଲୋକର ଘର ଭଙ୍ଗାରୁଜା କରି ଲୁଟ୍‌ କରିଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୋଲିସ ରବିବାର ସନ୍ଧ୍ୟାରେ ବାପା,ପୁଅଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି। ଗିରଫ ବ୍ୟକ୍ତି ହେଲେ ଦାରିଙ୍ଗବାଡ଼ି ବାସିନ୍ଦା ପୀତବାସ ମାଳବିଷୋୟୀ ଏବଂ ତାଙ୍କ ପୁଅ ଆଲୋକ। ଗିରଫ ଦୁଇଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗ ହାଜତକୁ ପଠାଇଦିଆଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି।