ବିଜୟାଦଶମୀରେ ଆଖିବୁଜିଲେ ବାପାଝିଅ, ଦଶହରା ଛୁଟି କଟେଇ ଫେରୁଥିଲେ ମାମୁଘରୁ

ବରଗଡ଼ ଅଫିସ,୫।୧୦: ବିଜୟାଦଶମୀ ଦିନ ଆଖିବୁଜିଲେ ବାପାଝିଅ। ଦଶହରା ଛୁଟି କଟେଇ ମାମୁଘରୁ ଫେରୁଥିଲେ, ରାସ୍ତାରେ ହେଲା ଦୁର୍ଘଟଣା। ଏଭଳି ଏକ ଅଘଟଣ ଘଟିଛି ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କନାପାଲି ଛକ ନିକଟରେ। ଏକ କାର୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ୨ ବାପଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକମାନେ ହେଲେ, ବିଜେପୁର ଥାନା ମନୋହରପାଲି ଗ୍ରାମର ପ୍ରଦୀପ ସାହୁ (୩୫) ଏବଂ ଶିଶୁକନ୍ୟା ରୂପା(୪)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି। ମୃତ ପ୍ରଦୀପ ଶିଶୁକନ୍ୟା ରୂପାଙ୍କୁ ଧରି ବାଇକ୍‌ ଯୋଗେ ଫପାପାଲି ଗ୍ରାମର ଶ୍ୱଶୁରଘରୁ ମନୋହରପାଲିସ୍ଥିତ ନିଜ ଘରକୁ ଫେରୁଥିଲେ। ବିପରୀତ ଦିଗରୁ ଦ୍ରୁତବେଗରେ ଆସୁଥିବା କାର ସେମାନଙ୍କୁ ଧକ୍କା ଦେଇ ଘୋଷାରି ନେଇଥିଲା। ଫଳରେ ଘଟଣାସ୍ଥଳରେ ବାପଝିଅଙ୍କ ଜୀବନ ଚାଲି ଯାଇଥିଲା।